Latest Odisha News

BREAKING NEWS

ରାଜ୍ୟରେ ବନ୍ୟା ଓ ପ୍ରବଳ ବର୍ଷା: ଭୋଟର ତାଲିକା ସଂଶୋଧନ ଅବଧି ଆଉ ୩୦ ଦିନ ବଢ଼ାଇବାକୁ ବିଜେଡିର ଦାବି

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଥିବା ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପାଇଁ ସମୟସୀମା ବୃଦ୍ଧି କରିବାକୁ ବିଜୁ ଜନତା ଦଳ ଦାବି କରିଛି । ଚଳିତ SIR-2026 ଅଧୀନରେ ଦାବି ଓ ଆପତ୍ତି-ଅଭିଯୋଗ ଦାଖଲ କରିବାର ଶେଷ ତାରିଖ ଅଗଷ୍ଟ ୧୯ ଥିବାବେଳେ, ଏହାକୁ ଆହୁରି ୩୦ ଦିନ ଘୁଞ୍ଚାଇବା ପାଇଁ ବିଜେଡି ପକ୍ଷରୁ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ବିଜେଡିର ବରିଷ୍ଠ ଉପ-ସଭାପତି ଦେବୀପ୍ରସାଦ ମିଶ୍ର ଏବଂ ଅନ୍ୟ ନେତାମାନଙ୍କ ଦ୍ୱାରା ଦିଆଯାଇଥିବା ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ରାଜ୍ୟର ଅନେକ ଜିଲ୍ଲାରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲୋକେ ନିଜର ସୁରକ୍ଷା ଓ ଥଇଥାନ ନେଇ ବ୍ୟସ୍ତ ଥିବା ବେଳେ ବୁଥ୍ ଲେବଲ୍ ଅଫିସର କିମ୍ବା ନିର୍ବାଚନ କାର୍ଯ୍ୟାଳୟକୁ ଯାଇ ତାଲିକାରେ ନାମ ପଞ୍ଜୀକରଣ କିମ୍ବା ତ୍ରୁଟି ସୁଧାରିବା ସେମାନଙ୍କ ପକ୍ଷେ ସମ୍ଭବପର ନୁହେଁ । ତେଣୁ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନାଗରିକଙ୍କୁ ତାଙ୍କ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ ନକରିବା ପାଇଁ ଅବଧି ବୃଦ୍ଧି କରିବା ନିହାତି ଆବଶ୍ୟକ ।

ସୂଚନାଯୋଗ୍ୟ ଯେ, ପ୍ରଥମେ ଏହି ସମୟସୀମା ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଥିଲା, ଯାହାକୁ ପରେ ଭାରତୀୟ ନିର୍ବାଚନ ଆୟୋଗ ଅଗଷ୍ଟ ୧୯ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ତେବେ ବିଜେଡି ଦର୍ଶାଇଛି ଯେ, ବର୍ତ୍ତମାନ ସୁଦ୍ଧା ଲକ୍ଷ ଲକ୍ଷ ଆବେଦନ ଏବଂ ତ୍ରୁଟି ସଂଶୋଧନ (ଫର୍ମ-୭) ପ୍ରକ୍ରିୟା ବିଚାରାଧୀନ ରହିଛି । ଜୁଲାଇ ୨୧ ତାରିଖ ସୁଦ୍ଧା ୫୮ ଲକ୍ଷରୁ ଅଧିକ ନୋଟିସ୍ ଜାରି କରାଯିବାକୁ ଥିବାବେଳେ କେବଳ ୧ ଲକ୍ଷ ୪୨ ହଜାର ମାମଲାର ଶୁଣାଣି ହୋଇପାରିଛି ।

ବନ୍ୟା ସ୍ଥିତିକୁ ବିଚାରକୁ ନେଇ ଜାତୀୟ ନିର୍ବାଚନ ଆୟୋଗଙ୍କ ସହ ଆଲୋଚନା କରି ତୁରନ୍ତ ସମୟସୀମା ବଢ଼ାଇବାକୁ ଦଳ ଅନୁରୋଧ କରିଛି । ଏହାସହ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ସୁବିଧା ପାଇଁ BLO ଏବଂ ନିର୍ବାଚନ ଅଧିକାରୀମାନେ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ସ୍ମାରକପତ୍ରରେ ନିବେଦନ କରାଯାଇଛି, ଯାହାଦ୍ୱାରା କୌଣସି ଯୋଗ୍ୟ ଭୋଟର ତାଲିକାରୁ ବାଦ୍ ପଡ଼ିବେ ନାହିଁ ।

Leave A Reply

Your email address will not be published.