Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବହୁ ପ୍ରତିକ୍ଷୀତ ‘ଗୁରୁପ୍ରିୟା ସେତୁ’ ଉଦଘାଟିତ: ବିଚ୍ଛିନ୍ନାଞ୍ଚଳକୁ ବାଟ ଫିଟିଲା, ବହୁ ଦିନର ସ୍ୱପ୍ନ ସାକାର ହେଲା

ମାଲକାନଗିିରି : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସକାଳେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ଜାନବାଇ ନଦୀ ଉପରେ ନିର୍ମିତ ହୋଇଥିବା ବହୁ ଚର୍ଚ୍ଚିତ ‘ଗୁରୁପ୍ରିୟା ସେତୁ’କୁ ଉଦଘାଟନ କରିଛନ୍ତି ।

କଡ଼ା ସୁରକ୍ଷା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟପୁର ଏୟାରଷ୍ଟ୍ରିପରୁ ଏକ ହେଲିକପ୍ଟର ଯୋଗେ ମାଲକାନଗିରିରେ ପହଞ୍ଚିଥିଲେ । ବହୁ ପ୍ରତିକ୍ଷୀତ ଏହି ‘ଗୁରୁପ୍ରିୟା ସେତୁ’ର ଉଦଘାଟନ ଉତ୍ସବ ଲାଗି ସମଗ୍ର ମାଲକାନଗିରି ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଥିଲା । ଜିଲ୍ଲାର ସମସ୍ତ ସୀମାକୁ ସିଲ୍ କରିଦିଆଯାଇଥିଲା ।

ସୂଚନାଯୋଗ୍ୟ କିଛିଦିନ ପୂର୍ବରୁ ଏହି ମାଓପ୍ରପଣ ଅଞ୍ଚଳରେ ମାଓବାଦୀମାନେ ଗୁରୁପ୍ରିୟା ସେତୁର ଉଦଘାଟନକୁ ବିରୋଧ କରି ପୋଷ୍ଟର ଜାରି କରିଥିଲେ । ଏପରିକି ମାଲକାନଗିରିରେ ମାଓ ନକ୍ସଲମାନେ ବନ୍ଦ ଡ଼ାକରା ଦେଇଥିଲେ । ରାଜ୍ୟ ସରକାର ଏହାକୁ ଏକ ଚ୍ୟାଲେଞ୍ଜ ରୂପେ ନେଇ ଆଜି ସଫଳତାର ସହିତ ‘ଗୁରୁପ୍ରିୟା ସେତୁ’ ଉଦଘାଟନ କରିଛନ୍ତି ।

ଏହି ସେତୁଟି କଲିକତାର ରୟାଲ ଇନଫ୍ରାଷ୍ଟ୍ରକ୍ଚର ଲିଃ କମ୍ପାନୀ ଦ୍ୱାରା ପ୍ରାୟ ୧୭୨ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ସୂଚନା ମିଳିଛି । ତେବେ ରାଜ୍ୟ ସରକାରଙ୍କ ରାଜ୍ୟ ୱାର୍କ୍ସ ଡ଼ିପାର୍ଟମେଣ୍ଟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ନିର୍ମିତ ହୋଇଛି ଏହି ଗୁରୁପ୍ରୀୟା ସେତୁ । ୨୦୧୪ ମସିହାରେ ବିଏସଏଫ ଜବାନଙ୍କ ସୁରକ୍ଷା ବଳୟ ମଧ୍ୟରେ ଏହି ସେତୁ କାର୍ଯ୍ୟ ସମାପ୍ତ ହୋଇଛି ।

ଚର୍ଚ୍ଚିତ ‘ଗୁରୁପ୍ରିୟା ସେତୁ’ ଜିଲ୍ଲାର ୭ଟି ଦୂର୍ଗମ ପଞ୍ଚାୟତର ୧୫୧ଟି ଗ୍ରାମକୁ ସଂଯୁକ୍ତ କରିପାରିବ ଏବଂ ଏହି ସେତୁ କାର୍ଯ୍ୟକ୍ଷମ ହେଲେ ପ୍ରାୟ ୩୦ ହଜାର ଜନସାଧାରଣ ଉପକୃତ ହୋଇପାରିବେ । ଏହି ‘ଗୁରୁପ୍ରିୟା ସେତୁ’ ଦ୍ୱାରା ବିଚ୍ଛିନ୍ନାଞ୍ଚଳକୁ ଯୋଗାଯୋଗ ଏକପ୍ରକାର ଖୋଲିଯାଇଥିବା ଜଣାଯାଇଛି ।

ତେବେ ମାଓ ପ୍ରଭାବିତ ଚିତ୍ରକୋଣ୍ଡା ବ୍ଲକର ଏହି ସେତୁଟି କାର୍ଯ୍ୟକ୍ଷମ ହେବା ପରେ ନିରାପତ୍ତା ତଥା ସୁରକ୍ଷା କର୍ମୀଙ୍କୁ ବିଶେଷ ଭାବେ ସହାୟତା ପ୍ରଦାନ କରିପାରିବ ବୋଲି ଜଣାପଡ଼ିଛି ।

ଗୁରୁପ୍ରୀୟା ସେତୁର ଭିତ୍ତିପ୍ରସ୍ତର ସ୍ଥାପନ ୧୯୮୨ ମସିହାରେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ହୋଇଥିଲା । ତେବେ ୨୦୦୦ ମସିହାରେ ପୁନର୍ବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ ପରେ ନିର୍ମାଣ କାର୍ଯ୍ୟ ଦୃତଗତିରେ ହୋଇଥିଲା ।

Leave A Reply

Your email address will not be published.