Latest Odisha News

BREAKING NEWS

‘ନ୍ୟାସନାଲ ଜିଓଗ୍ରାଫିକ’ରେ ନବୀନ; କହିବେ ‘ଫନି’ ମୁକାବିଲାର କାହାଣୀ

ଭୁବନେଶ୍ୱର: ପ୍ରଥମେ ମୋଦୀ ଆଉ ଏବେ ନବୀନ । ସାରା ଦୁନିଆ ଦେଖିବ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସଫଳତାର ଝଲକ । କିଛିଦିନ ତଳେ ‘ଡିସ୍କୋଭରି ଚ୍ୟାନେଲ’ ର ‘ମ୍ୟାନ୍ ଭର୍ସେସ୍ ୱାଇଲ୍ଡ’ ଶୋ’ରେ ପ୍ରଧାନମନ୍ତ୍ରୀ ମୋଦୀ ନଜର ଆସିଥିବା ବେଳେ ବର୍ତ୍ତମାନ ‘ନ୍ୟାସନଲ ଜିଓଗ୍ରାଫି ଚ୍ୟାନେଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ପାଇବେ ବିଶ୍ୱବାସୀ ।

ନବୀନଙ୍କୁ ନେଇ ସୁଟିଂ ହୋଇଥିବା ଏହି ଶୋ’ରେ ପ୍ରଳୟଙ୍କରୀ ବାତ୍ୟା ‘ଫନି’ରେ ଓଡ଼ିଶା ସରକାରଙ୍କର ଭୂମିକା ଦେଖିବ ଦୁନିଆ । ସେପ୍ଟେମ୍ବର ୨୭ ତାରିଖ ରାତି ୯ ଟାରେ ଏହି ଶୋ’ର ପ୍ରସାରଣ କରାଯିବ ।

ଟେଲିକାଷ୍ଟ ପୂର୍ବରୁ ଏହି ସ୍ୱତନ୍ତ୍ର ଶୋ’ର ପ୍ରୋମୋ ଏବେ ସାମ୍ନାକୁ ଆସିଛି । ଏହି ପ୍ରୋମୋର ଫୋନିର ସଫଳ ମୁକାବିଲାର ଝଲକ ଦେଖିବାକୁ ମିଳିଛି ।

ପ୍ରଳୟଙ୍କରୀ ବାତ୍ୟା ଫନି ମାଡ଼ିଆସୁଥିବା ବେଳେ, ରାଜ୍ୟ ସରକାର କିପରି ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିପାରିଥିଲେ, ତାହା ଦେଖିବାକୁ ମିଳିବ ଏହି ଶୋ’ରେ । ଫନିର ମୁକାବିଲା ପାଇଁ କିଭଳି ରାଜ୍ୟ ସରକାର ଦିନରାତି ଏକ କରି ଦେଇଥିଲେ ତାହା ଏହି ଶୋ’ରେ ଦେଖିବାକୁ ପାଇବେ ବିଶ୍ୱବାସୀ ।

୧୯୯୯ ରେ ହୋଇଥିବା ମହାବାତ୍ୟାରୁ ୨୦୧୯ ର ପ୍ରଳୟଙ୍କରୀ ବାତ୍ୟା ଫୋନି ପର୍ଯ୍ୟନ୍ତ ବାତ୍ୟାକୁ ନେଇ ଗତ ଦୁଇ ଦଶନ୍ଧିର କାହାଣୀ କହିବେ ନବୀନ ।

ଫୋନି ଭଳି ଏକ ମହା ପ୍ରାକୃତିକ ବିପର୍ଯ୍ୟୟକୁ ପୂର୍ବପ୍ରସ୍ତୁତି ଯୋଗୁଁ ସଫଳ ମୁକାବିଲା କରିଥିବା ନବୀନ ସରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କିପରି କରାଯାଇପାରିବ, ସେ ବିଷୟରେ ସାରା ବିଶ୍ୱକୁ ଦେବେ ପରାମର୍ଶ ।

ବାତ୍ୟା ଫନି ଉପରେ ଆଧାରିତ ଏହି ଶୋ’ର ନାମ ରଖାଯାଇଛି ‘ମେଗା ସାଇକ୍ଲୋନ ଫନି’ । ଏହାର ଅଧିକାଂଶ ଭାଗ ନବୀନ ନିବାସରେ ସୁଟିଂ କରାଯାଇଥିବା ବେଳେ ଆଉ ସବୁ ଅଂଶ ବାତ୍ୟା ପ୍ରପିଡିତ ଅଞ୍ଚଳରେ ସୁଟିଂ କରାଯାଇଛି । ଫନି ସମୟରେ କିଭଳି ଥିଲା ଉଦ୍ଧାର କାର୍ଯ୍ୟ ତାହା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାରା ବିଶ୍ଵ ଦେଖିବ ।

ପୂର୍ବରୁ ଫନିର ସଫଳ ମୁକାବିଲା ପାଇଁ, ନବୀନଙ୍କୁ ଅନ୍ତର୍ଜାତୀୟ ଗଣମାଧ୍ୟମ ତଥା ଜାତିସଂଘରୁ ଅନେକ ପ୍ରଶଂସା ମିଳିଥିଲା ।

Leave A Reply

Your email address will not be published.