Latest Odisha News

BREAKING NEWS

Green Hydrogen Jetty at Paradip: ପାରାଦ୍ୱୀପ ବନ୍ଦରରେ ଗ୍ରୀନ୍ ହାଇଡ୍ରୋଜେନ୍ ଜେଟିକୁ ଅନୁମୋଦନ;ପିଏମଙ୍କୁ କୃତଜ୍ଞତା ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ପାରାଦ୍ୱୀପ ବନ୍ଦରରେ ଏଣିକି ଗ୍ରୀନ୍ ହାଇଡ୍ରୋଜେନ୍ ଓ ଆମୋନିଆ ଭଳି ପରିବେଶ ଅନୁକୂଳ ଜାଳେଣିର କାରବାର ହେବ। ଏଥିପାଇଁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ୭୯୭.୧୭ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ଜେଟି (Jetty) ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ (PPA) ଏହି ପ୍ରକଳ୍ପ ଖର୍ଚ୍ଚର ପ୍ରାୟ ୨୦% (୧୫୯.୪୩ କୋଟି ଟଙ୍କା) ନିଜେ ବହନ କରିବେ। ଆସନ୍ତା ୨୪ ମାସ ମଧ୍ୟରେ ଏହାର କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆରମ୍ଭ ସମୟରେ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟତୀତ ଅନ୍ୟାନ୍ୟ ତରଳ ପଦାର୍ଥ ପରିବହନ ପାଇଁ ମଧ୍ୟ ଏହି ଜେଟିକୁ ବ୍ୟବହାର କରାଯାଇପାରିବ, ଯାହାଫଳରେ ବନ୍ଦରର ବ୍ୟବସାୟିକ ଲାଭ ବୃଦ୍ଧି ପାଇବ।

ପ୍ରସ୍ତାବିତ ଜେଟିରେ ବାର୍ଷିକ ୪.୦ ନିୟୁତ ଟନ୍ ପରିଚାଳନା କ୍ଷମତା ରହିବ । ସବୁଜ ଶକ୍ତି କାର୍ଗୋ ପାଇଁ ଏକ ହବ୍ ଭାବରେ ପାରାଦୀପ ବନ୍ଦରର ଭୂମିକାକୁ ସୁଦୃଢ଼ କରିବା ପାଇଁ ଡିଜାଇନ୍ କରାଯାଇଛି। ଏଥିରେ ସଂରକ୍ଷଣ ପ୍ରଣାଳୀ, ପାଇପଲାଇନ, ପରିଚାଳନା ଉପକରଣ ଏବଂ ସମ୍ପୃକ୍ତ ସୁବିଧା ଅନ୍ତର୍ଭୁକ୍ତ ହେବ।


ପାରାଦ୍ୱୀପ ବନ୍ଦରରେ ସବୁଜ ହାଇଡ୍ରୋଜେନ୍, ଆମୋନିଆ ଏବଂ ଅନ୍ୟାନ୍ୟ ତରଳ କାର୍ଗୋ ପରିଚାଳନା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭୯୭.୧୭ କୋଟିର ଏକ ଜେଟି ଅନୁମୋଦନ ଲାଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ବନ୍ଦର ଏବଂ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଏନେଇ ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

୪ MTPA କ୍ଷମତା ସହିତ, ଏହି ପ୍ରକଳ୍ପ ଓଡ଼ିଶାର ଉଦୀୟମାନ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ କ୍ଲଷ୍ଟରଗୁଡ଼ିକୁ ବିଶ୍ୱ ବଜାର ସହିତ ସଂଯୋଗ କରିବ, ସ୍ୱଚ୍ଛ ଶକ୍ତି ରପ୍ତାନି ଲଜିଷ୍ଟିକ୍ସକୁ ମଜବୁତ କରିବା ସହ ଭାରତର ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନକୁ ଆଗକୁ ବଢିବାକୁ ସୁଯୋଗ ଦେବ । ଏହି ପଦକ୍ଷେପ ସବୁଜ ନିବେଶକୁ ଆହୁରି ତ୍ୱରାନ୍ୱିତ କରିବ, ନିଯୁକ୍ତି ସୃଷ୍ଟି କରିବ ଏବଂ ଏକ ସ୍ଥାୟୀ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ସାମୁଦ୍ରିକ ଅର୍ଥନୀତି ଗଠନରେ ଓଡ଼ିଶାର ଭୂମିକାକୁ ସୁଦୃଢ଼ ​​କରିବ ବୋଲି ନିଜ ଏକ୍ସରେ ପୋଷ୍ଟ ଜରିଆରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.