Latest Odisha News

BREAKING NEWS

ଚମକିଲା ସୁଆଣ୍ଡୋ; ଐତିହାସିକ ଗାଁର ରୂପ ନେଲା ଉତ୍କଳମଣିଙ୍କ ଜନ୍ମପୀଠ

ସୁଆଣ୍ଡୋ: ଐତିହାସିକ ଗାଁର ରୂପ ନେଲା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ  ସୁଆଣ୍ଡୋ ଗ୍ରାମ ।  ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁଆଣ୍ଡୋ ଗ୍ରାମକୁ ଯାଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଗୋପବନ୍ଧୁଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି ।

ଆଜି ସକାଳେ ୫ଟ ସଚିବ କେ.ପାଣ୍ଡିଆନଙ୍କ ସହ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଯାଇଥିଲେ ।   ପ୍ରଥମେ ଶିବ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ପରେ ମୁଖ୍ୟମନ୍ତ୍ରୀ ଗୋପବନ୍ଧୁଙ୍କ ଷଠିଘର ବୁଲିଥିଲେ। ପରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଥିଲେ। ପ୍ରାୟ ୨୫ କୋଟି ଟଙ୍କାର ଟଙ୍କା ବ୍ୟୟରେ ଗାଁର ବିକାଶ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ସରକାର । ଏହା ଭିତରେ ଗାଁ ମୁଣ୍ଡ  ଶିବ ମନ୍ଦିର, ପୈତୃକ ବାସଗୃହ,  ଷଠିଘର ନିର୍ମାଣ ଦୁଇଟି ପୋଖରୀ, ଜନ୍ମପୀଠ, ଗ୍ରାମରାସ୍ତା,  ପରିକ୍ରମା ରାସ୍ତା, ଗୋପବନ୍ଧୁଙ୍କ ସ୍ମୁତି ସଂଗ୍ରହାଳୟ, ସୂଚନା କେନ୍ଦ୍ର, ଆତିଥ୍ୟ କେନ୍ଦ୍ର, ଶିଶୁ ପାର୍କ, ଉତ୍କଳମଣିଙ୍କ ପ୍ରାୟ ୧୫ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ଇତ୍ୟାଦି ରହିଛି । ଏଠାରେ ଗୋପବନ୍ଧୁଙ୍କର ୧୫ ଫୁଟ ଉଚ୍ଚର ବ୍ରୋଞ୍ଚ ନିର୍ମିତ ଏକ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତିର ଲୋକାର୍ପଣ କରିଥିଲେ ।

ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୋପବନ୍ଧୁ ଥିଲେ ଜଣେ ଯୁଗପୁରୁଷ । ଓଡିଆ ଜାତି ତାଙ୍କ ନିକଟରେ ସବୁବେଳେ ଋଣୀ । ତାଙ୍କ ସ୍ମୃତି ରକ୍ଷା ପାଇଁ ଯେତେ ଯାହା କଲେ ବି, କମ୍‌ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୫-ଟି ଉପକ୍ରମରେ ଓଡିଶାର ବରପୁତ୍ର ମାନଙ୍କ ଜନ୍ମପୀଠର ବିକାଶ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଉତ୍କଳ ଗୌରବ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ସହିଦ ଲକ୍ଷ୍ମଣ ନାୟକ ଏବଂ ଆହୁରି ଅନେକ ମହାପୁରୁଷଙ୍କ ତ୍ୟାଗ ଓ ସାଧନା ଓଡିଶାର ଗୌରବ ବଢାଇଛି ବୋଲି ସେ କହିଥିଲେ ।

ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଉତ୍କଳମଣି ଥିଲେ ମାନବ ସମାଜର ମଣି । ତାଙ୍କ ତ୍ୟାଗ, ଦେଶଭକ୍ତି, ସେବା ଓ ଜାତିପ୍ରୀତିର ତୁଳନା ନାହିଁ । ସ୍ବାଧୀନତା ସଂଗ୍ରାମରୁ ଆରମ୍ଭ କରି ଓଡିଶାର ଶିକ୍ଷା, ସାହିତ୍ୟ ସଂସ୍କୃତି, ରାଜନୀତି, ସେବା ଓ ମାନବିକତାର ନୂଆ କାର୍ତ୍ତୀ ସ୍ଥାପନ କରିଯାଇଛନ୍ତି । ଓଡିଶାରେ ଜାତୀୟବାଦୀ ଚେତନାର ବିକାଶରେ ସେ ଥିଲେ କର୍ଣ୍ଣଧାର । ଭୋଗ ନୂହେଁ, ତ୍ୟାଗ ହିଁ ମହାନ, ସେବା ହିଂ ଶ୍ରେଷ୍ଠ – ଏହା ହିଁ ହେଉଛି ଗୋପବନ୍ଧୁଙ୍କ ଜୀବନର ବର୍ତ୍ତା । ସେ ସବୁବେଳେ ଆମ ପାଇଁ ପ୍ରେରଣା ହୋଇ ରହିଛନ୍ତି ଓ ରହିଥିବେ । ଗୋପବନ୍ଧୁଙ୍କ ‘ଭାର୍ଗବୀ ସଂକଳ୍ପ’କୁ ଜୀବନର ବ୍ରତ କରି ଏକ ନୂଆ ଓ ସଶକ୍ତ ଓଡିଶା ଗଠନ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ଗୋପବନ୍ଧୁଙ୍କ ଜନ୍ମ ମାଟିର ବିକାଶ ରେ ମୁଖ୍ୟମନ୍ତ୍ରୀ ଏଥିପାଇଁ ଉତ୍କଳମଣିଙ୍କ ପରିବାର ଓ ସୁଆଣ୍ଡୋଙ୍କ ଜନସାଧାରଣଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ । ଏହାସହିତ ରାଜ୍ୟ ସଂସ୍କୃତି ବିଭାଗ ଓ ପୁରୀ ଜିଲ୍ଲା ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଦେଇଥିଲେ ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଗୋପବନ୍ଧୁଙ୍କ ନାତି ଶ୍ରୀ ଧିରେନ୍ଦ୍ର କୁମାର ଦାସ, ଉତ୍କଳମଣୀଙ୍କ ଜନ୍ମପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହାଦ୍ବାରା ରାଜ୍ୟରେ ମହାପୁରୁଷ ମାନଙ୍କ ମାର୍ଗରେ ଚାଲିବାକୁ ଜନସାଧାରଣ ପ୍ରେରିତ ହେବେ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର, କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଂଜନ ଦାଶ ପ୍ରମୁଖ ଅଭିଭାଷଣ ରଖି ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ସହିତ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ବିଭିନ୍ନ କ୍ଷେତ୍ରରେ ଓଡିଶାର ରୂପାନ୍ତର ଉପରେ ଆଲୋକପାତ କରିଥିଲେ । ଏହାସହିତ ସାଂସଦ ପିନାକୀ ମିଶ୍ର, ବିଧାୟକ ଉମାକାନ୍ତ ସାମସ୍ତରାୟ, ସମାଜ ଖବରକାଗଜ ପକ୍ଷରୁନିରଞ୍ଜନ ରଥ ମଧ୍ୟ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ବୈଠକରେ ଉତ୍କଳମଣିଙ୍କ ସଂପର୍କରେ ଏକ ବୃତଚିତ୍ର ପ୍ରଦାର୍ଶିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଗୋପବନ୍ଧୁଙ୍କ ୭ ଜଣ ନାତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

 

Leave A Reply

Your email address will not be published.