Latest Odisha News

BREAKING NEWS

ଆଦିବାସୀ ମେଳା ୨୦୨୩ର ତୃତୀୟ ଦିବସ

ଆଦିବାସୀଙ୍କ ଦ୍ୱାରା ସଂଗୃହୀତ ଓ ପ୍ରସ୍ତୁତ ସାମଗ୍ରୀ କ୍ରୟ ପାଇଁ ବ୍ୟଗ୍ରତା

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଆରମ୍ଭ ହୋଇଥିବା ଆଦିବାସୀ ମେଳାରେ ଆଦିବାସୀମାନଙ୍କର ସାମଗ୍ରିକ ବିକାଶର ପ୍ରତିଫଳନ ଦେଖିବାକୁ ମିଳୁଛି। ବିଭିନ୍ନ ଜନଜାତି ବର୍ଗ ଦ୍ୱାରା ଉତ୍ପାଦିତ ଓ ସଂଗୃହୀତ ସାମଗ୍ରୀର ବଜାର ଚାହିଦା ଏବେ ବଢ଼ିବାରେ ଲାଗିଛି ଏବଂ ସେସବୁ ସାମଗ୍ରୀ ଆଦିବାସୀ ମେଳା ହାଟରେ କିଣିବାକୁ ମିଳୁଛି ।

ଆଇଟିଡିଏ ଦ୍ୱାରା ୬୨ଟି ଷ୍ଟଲରେ ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ଉତ୍ପାଦିତ ଓ ସଂଗୃହୀତ ଦ୍ରବ୍ୟ ବିକ୍ରୀ ହେଉଛି । ଏହା ସହ ୧୭ଟି ଷ୍ଟଲରେ ଅଣୁପ୍ରକଳ୍ପ ଅଧିନସ୍ଥ ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କଞ୍ଚା ହଳଦୀ, ହଳଦୀଗୁଣ୍ଡ, ଗୋଟା ହଳଦୀ, ଝୁଣା, ଚଣା, ସିକାକାଇ, ମୁଗ, ବିରି, ହରଡ଼, ଶୋରିଷ, ଜିରା, ଫୁଲଝାଡ଼ୁ, ଡାଲଚିନି, ଅଳେଇଚ, ଗୁଜୁରାତି, ତେଜପତ୍ର, ଲଙ୍କା, ମେଥିପତ୍ର, ହରିଡ଼ା, ବାହାଡ଼ା, ଅଁଳା, ଛୋଟ ଆଳୁ, ନାଲିଚାଉଳ, ବଡ଼ି, ପାମ୍ପଡ଼, ମାଣ୍ଡିଆ, ଧୂପକାଠି, ଶିମ୍ବମଞ୍ଜି, ତେନ୍ତୁଳି, ରାଶିତେଲ, ନିମ୍ବତେଲ, ନଡ଼ିଆ ତେଲ, କୁସୁମ ତେଲ, ଖଜୁରୀ, ବରକୋଳି, ଗୋଲମରିଚ, ଶୁଖିଲା ଆମ୍ବୁଲ, ଝୁଡ଼ଙ୍ଗ ମଞ୍ଜି , ଗୋଟା ଧନିଆ, ତଡ଼କା ଡାଲି, ଶୁଣ୍ଠି, ପନିର ଫଳ, ପଣସ କଠା, ଗୁଗୁଳ, ଅର୍ଜୁନ ଛାଲି, ମକା, ମାଟିଆଳୁ, କଖାରୁ, ଅମୃତଭଣ୍ଡା, ପିତାଜାମୁ, ଅଦା, ଆଖୁଗୁଡ଼, ଆଖୁ ଓ ଖଜୁରୀ ମିଶା ଗୁଡ଼, ଆଚାର ଆଦି ବିକ୍ରୟ ହେଉଛି ।

ଏହି ମେଳାର ତୃତୀୟ ସନ୍ଧ୍ୟାରେ ସାଂସ୍କୃତିକ ପରିଷଦ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସାଂସ୍କୃତିକ ପରିଷଦର କଳାକାରମାନଙ୍କ ଦ୍ୱାରା ଏକ ଦିବସୀୟ ନାଟକ ‘ଗୁପ୍ତ ସମ୍ପର୍କ’ ପ୍ରଦର୍ଶିତ ହୋଇଥିଲା । ଏହି ନାଟକକୁ ନବଘନ ରାଉଳ ନାଟକ ରଚନା କରିଥିବାବେଳେ ଅନନ୍ତ କିଶୋର ସାହୁ ନିର୍ଦ୍ଦେଶନା ଦେଇଥିଲେ ।

ଏହି ମେଳା ପ୍ରତ୍ୟହ ୨.୩୦ରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ଓ ମେଳା ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

 

Leave A Reply

Your email address will not be published.