Latest Odisha News

ରାଜ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି। ମାସ୍କ ପିନ୍ଧିବା ପାଇଁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି, କରୋନା ବିପଦ ଟଳି ନାହିଁ, ସୁରକ୍ଷିତ ରହିବା ପାଇଁ ନିଶ୍ଚିତ ମାସ୍କ ପିନ୍ଧନ୍ତୁ ।  ମୁଖ୍ୟମନ୍ତ୍ରୀ ପ୍ରିକସନ୍ ଡୋଜ୍ ବା ବୁଷ୍ଟର ଡୋଜ୍ ନେବାକୁ ଅପିଲ୍ କରିଛନ୍ତି । ମାଗଣା ପ୍ରିକସନ୍ ଡୋଜ୍ ଦେବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି ନବୀନ ।

ଗତ ୪ ଦିନ ଧରି ୫ ଶହ ଉପରେ ଦୈନିକ ସଂକ୍ରମଣ ଥିବା ବେଳେ ଗତ ୨୪ ଘଣ୍ଟାଭିତରେ ୭୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୁଲାଇ ୯ରୁ ଜୁଲାଇ ୧୨ ପର୍ଯ୍ୟନ୍ତ ଦୈନିକ ୫ ଶହ ଉପରେ ସଂକ୍ରମିତ ଚିହ୍ନଟ ହେଉଥିଲେ, କିନ୍ତୁ ଏହି ଟ୍ରେଣ୍ଡ ବଦଳିଯାଇଛି ।  ରଥଯାତ୍ରା ସରିବା ପରେ ସଂକ୍ରମଣ ବଢ଼ିବା ଆଶଙ୍କା କରୁଛି ସ୍ୱାସ୍ଥ୍ୟ ବିଭାଗ । ରଥଯାତ୍ରାରେ ଲକ୍ଷ ଲକ୍ଷ ଲୋକ ସାମିଲ ହୋଇଥିଲେ, ନିଜ ନିଜ ଅଞ୍ଚଳକୁ ଫେରିବା ପରେ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖା ଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଏପଟେ ଭୁବନେଶ୍ୱରରେ ଅଧିକ ସଂଖ୍ୟାରେ ନୂଆ ପିଜିଟିଭ୍ କେସ୍ ଆସୁଥିବାରୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଭଳି କଟକଣା ଉପରେ ଜୋର ଦିଆଯାଇଛି । ବିଭିନ୍ନ ସ୍ଥାନରେ ଲୋକଙ୍କ ସଚେତନ କରାଯାଉଛି । ଆଗାମୀ ଦିନରେ କରୋନା ନିୟମକୁ କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।

Leave A Reply

Your email address will not be published.