Latest Odisha News

BREAKING NEWS

କଂଗ୍ରେସ ମୁଖ୍ୟ ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରେ ଆକ୍ରମଣ, ୬ ଆହତ

କେନ୍ଦୁଝର: ରାଜ୍ୟରେ ୨ଟି ପର୍ଯ୍ୟାୟ ଭୋଟଗ୍ରହଣ ସରି ଆଉ ଦୁଇଟି ପର୍ଯ୍ୟାୟ ମତଦାନ ବାକି ଥିବା ବେଳେ ନିର୍ବାଚନ ହିଂସାକାଣ୍ଡ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ତଥା ଘସିପୁରା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଆକ୍ରମଣ ହୋଇଛି । କେନ୍ଦୁଝର ଜିଲ୍ଲା ଘସିପୁରାଠାରେ ରବିବାର ଦିନ ନିରଞ୍ଜନ ଗାଡ଼ିରେ ଯାଉଥିବା ସମୟରେ ତାଙ୍କୁ ଆକ୍ରମଣ ହୋଇଛି ।

ରବିବାର ଦିନ ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ୫ଟା ବେଳେ ସମାପ୍ତ ହେବା ପରେ ପରେ ଏହାର ପ୍ରାୟ ଘଣ୍ଟାକ ପରେ ନିରଞ୍ଜନଙ୍କୁ ଆକ୍ରମଣ ହୋଇଛି । ସେ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭଣ୍ଡାରୀପଦାରେ ତାଙ୍କ ଗାଡ଼ିରେ ଯାଉଥିବା ବେଳେ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ତାଙ୍କ ଉପରକୁ ଢେଲାମାଡ଼ କରିଥିଲେ । ନିରଞ୍ଜନ ଢେଲାମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ନିକଟରେ ଥିବା କିଛି କଂଗ୍ରେସ ସମର୍ଥକ ଏହି ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଘସିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦୁଇ ପୂର୍ବତନ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ଏବଂ ନିରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ଏହି ଆସନରେ କଡ଼ା ମୁକାବିଲା ହେଉଛି । ନିର୍ବାଚନ ଆରମ୍ଭରୁ ହିଁ ଏହି ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ବାକଯୁଦ୍ଧ ଜାରି ରହିଥିବା ଲକ୍ଷ୍ୟ କରାଯାଇଛି ।

ମିଳିଥିବା ସୂଚନାନୁଯାୟୀ, ନିରଞ୍ଜନ ଗାଡ଼ିରେ ଥିବାବେଳେ କିଛି ବିଜେଡ଼ି କର୍ମୀ ତାଙ୍କୁ ଅଟକାଇ ପ୍ରଚାର ସମୟ ସମାପ୍ତ ହେବାପରେ କାହିଁକି ପ୍ରଚାର କରିବା ନେଇ ପ୍ରଶ୍ନ କରିଥିଲେ । ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ ଉଚ୍ଚବାଚ ହୋଇ କ୍ରମେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଏହି ଘଟଣାପରେ ନିରଞ୍ଜନ ଅଭିଯୋଗ କରି କହିଛନ୍ତି ଯେ, ବଦ୍ରୀଙ୍କ ଗୁଣ୍ଡାମାନେ ଏହି ଆକ୍ରମଣ କରିଛନ୍ତି । ମାତ୍ର ଏହାକୁ ଖଣ୍ଡନ କରି ବଦ୍ରୀ କହିଛନ୍ତି ନିରଞ୍ଜନ ଭଡ଼ାଟିଆ ଗୁଣ୍ଡାମାନଙ୍କୁ ଆମ ଅଞ୍ଚଳରେ ପୁରାଇ ଭୋଟରଙ୍କୁ ଭୟଭୀତ କରୁଛନ୍ତି ।

ତେବେ ଅତ୍ୟନ୍ତ ସମ୍ବେଦନଶୀଳ ଘସିପୁରା ନିର୍ବାଚନ ମଣ୍ଡଳୀରେ ମାର୍ଚ୍ଚ ମାସରେ ରାଜନୈତିକ ହିଂସାକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏଠାରେ ରାମଚନ୍ଦ୍ର ବେହେରା ନାମକ ଜଣେ ନେତା କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗଦେବା ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଛି । ତାଙ୍କ ହତ୍ୟାର ପରବର୍ତ୍ତୀ ଦିନ ସେ ବିଜେଡ଼ିରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ସ୍ଥିର କରିଥିଲେ ।

ଏହି ଘଟଣାର ତଦନ୍ତ କରୁଛନ୍ତି ବୋଲି ପୋଲିସ କହିଥିଲେ ।

Leave A Reply

Your email address will not be published.