Latest Odisha News

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଓଡ଼ିଶାରେ ହେବ ୪୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ

ଭୁବନେଶ୍ୱର: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମୋଟ ୪୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବାକୁ ଯାଉଛି । ରବିବାର ସନ୍ଧ୍ୟାରେ ଏଥିଲାଗି ନିର୍ବାଚନ ପ୍ରଚାର ସମାପ୍ତ ହୋଇଛି ।

ଏହି ପଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ସେହି ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଲା – ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ଲୋକସଭା ଆସନ ।

ଏହି ନିର୍ବାଚନ ମଙ୍ଗଳବାର ଏପ୍ରିଲ ୨୩ ତାରିଖରେ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଏହି ପର୍ଯ୍ୟାୟରେ ସମୁଦାୟ ୯୨,୫୬,୯୨୨ ଜଣ ଭୋଟର ରହିଥିବା ବେଳେ ସେଥିମଧ୍ୟରୁ ପୁରୁଷ ଭୋଟର ହେଲେ ୪୭,୯୯,୦୩୦ ଏବଂ ୪୪,୫୬,୭୨୯ ଜଣ ମହିଳା ଭୋଟର । ସେହିପରି ମୋଟ ୧୧୬୩ କିନ୍ନର ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ ।

୩ୟ ପର୍ଯ୍ୟାୟ ନିର୍ବାଚନରେ ସମୁଦାୟ ୧୦,୪୬୪ଟି ବୁଥରେ ଭୋଟଗ୍ରହଣ ଅନୁଷ୍ଠିତ ହେବ ।

ସେହିପରି ୬ଟି ଲୋକସଭା ଆସନରେ ମୋଟ ୬୧ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୬ ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ଅନ୍ୟପକ୍ଷରେ ଏହି ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ସମୁଦାୟ ୩୫୬ ଜଣ ପ୍ରାର୍ଥୀ ଲଢୁଥିବା ବେଳେ ସେମାନଙ୍କ ମଧ୍ୟରେ ୩୭ ଜଣ ମହିଳା ଏବଂ ଜଣେ କିନ୍ନର ପ୍ରାର୍ଥୀ ସେମାନଙ୍କର ଭାଗ୍ୟ ନିର୍ଣ୍ଣୟ କରିବେ ।

୬ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯେଉଁ ୪୨ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ ସେଗୁଡ଼ିକ ହେଲା – କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ, ଦେଓଗଡ଼, ଛେଣ୍ଡିପଦା, ଆଠମଲ୍ଲିକ, ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେଉଁଝର, ଚମ୍ପୁଆ, କରଞ୍ଜିଆ, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡ଼ା, ତାଳଚେର, ଅନୁଗୁଳ, ବଡ଼ମ୍ବା, ବାଙ୍କି, ଆଠଗଡ଼, କଟକ-ବାରବାଟି, ଚୌଦ୍ୱାର-କଟକ, କଟକ ସଦର, ଖଣ୍ଡପଡ଼ା, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର, ନୟାଗଡ଼, ଜୟଦେବ, ଭୁବନେଶ୍ୱର-ମଧ୍ୟ, ଭୁବନେଶ୍ୱର-ଉତ୍ତର, ଭୁବନେଶ୍ୱର-ଏକାମ୍ର, ଜଟଣୀ, ବେଗୁନିଆ ଏବଂ ଖୋର୍ଦ୍ଧା ବିଧାନସଭା ଆସନ ।

Leave A Reply

Your email address will not be published.