Latest Odisha News

BREAKING NEWS

ସଙ୍କଟରେ କଂଗ୍ରେସ: ଦଳ ଛାଡ଼ିଲେ ମହିଳା କଂଗ୍ରେସ ଉପ-ସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ

ଭୁବନେଶ୍ୱର: ସଙ୍କଟଗ୍ରସ୍ଥ ଓଡ଼ିଶା କଂଗ୍ରେସରେ ଏବେ ଜଣ ପରେ ଜଣେ ବରିଷ୍ଠ ନେତା ଦଳ ଛାଡିବା ଧାରା ଜାରି ରହିଥିବା ବେଳେ ଓଡ଼ିଶା ମହିଳା ପ୍ରଦେଶ କଂଗ୍ରେସ ଉପ-ସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ ମଧ୍ୟ ତାଙ୍କର ଇସ୍ତଫା ପ୍ରଦାନ କରିଛନ୍ତି ।

ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଓଡ଼ିଶା ମହିଳା ପ୍ରଦେଶ କଂଗ୍ରେସ ଉପ-ସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ ତାଙ୍କର ଇସ୍ତଫା ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତଥା ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) କାର୍ଯ୍ୟାଳୟକୁ ପଠାଇ ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ରରେ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତା ପଦ ତଥା ଉପ-ସଭାନେତ୍ରୀ ଦଳୀୟ ପଦବୀରୁ ଇସ୍ତଫା ଦେଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । ଆସନ୍ତା ସପ୍ତାହରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସୁଛନ୍ତି ।

ବରିଷ୍ଠ କଂଗ୍ରେସ ନେତ୍ରୀ ତାଙ୍କର ଏହି ଇସ୍ତଫା ପ୍ରଦାନ ପରିପ୍ରେକ୍ଷୀରେ ତାଙ୍କ ପ୍ରତି ଦଳୀୟ ନେତୃତ୍ୱ ଚରମ ଅବହେଳା ପ୍ରଦର୍ଶନ କରିଥିବା ସେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି । ସେ ଓ ତାଙ୍କର ପରିବାର କଂଗ୍ରେସ ଦଳ ଲାଗି ବୋଲଗଡ଼ ଏବଂ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଗତ ୩୦ ବର୍ଷ ଧରି ଅକୁଣ୍ଠ ଚିତ୍ତରେ କାର୍ଯ୍ୟ କରିଥିଲେ ମଧ୍ୟ ଦଳର ନେତୃତ୍ୱ ତାଙ୍କ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରିଆସିଛନ୍ତି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ବରିଷ୍ଠ ମହିଳା କଂଗ୍ରେସ ନେତ୍ରୀ ଜୟଶ୍ରୀ ପଟ୍ଟନାୟକ ।

“ପରିବାର ରାଜନୀତିରେ ମୁଁ ଅତିଷ୍ଠ ହୋଇ କଂଗ୍ରେସ ଛାଡ଼ିବାକୁ ନିଷ୍ପତ୍ତି ନେଲି,” ବୋଲି କହିଛନ୍ତି ବରିଷ୍ଠ ନେତ୍ରୀ ଜୟଶ୍ରୀ ପଟ୍ଟନାୟକ ।

ତେବେ ଜୟଶ୍ରୀଙ୍କ ଆଜିର ଏହି ଇସ୍ତଫା ପ୍ରଦାନ ପରେ କୌଣସି ବରିଷ୍ଠ କଂଗ୍ରେସ ନେତା ଏପର୍ଯ୍ୟନ୍ତ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି ।

ରାଜ୍ୟ କଂଗ୍ରେସର ଜଣେ ବଳିଷ୍ଠ ନେତା ତଥା ଝାରସୁଗୁଡ଼ାର ବିଧାୟକ ନବ ଦାସଙ୍କ କଂଗ୍ରେସ ଦଳରୁ ଇସ୍ତଫା ପ୍ରଦାନ ପରେ ଏବେ ଦଳର ଜଣେ ବରିଷ୍ଠ ମହିଳା ନେତ୍ରୀ ତଥା ରାଜ୍ୟ ଉପ-ସଭାନେତ୍ରୀ ଇସ୍ତଫା ପ୍ରଦାନ କରିବା ପରେ ଏବେ ରାଜ୍ୟ କଂଗ୍ରେସରେ ସଙ୍କଟଜନକ ପରିସ୍ଥିତି ଉପୁଜିଛି । ଏପରିକି କଂଗ୍ରେସରୁ ଇସ୍ତଫା ପ୍ରଦାନ କରିବା ପରେ ନବ କିଶୋର ଦାସ ଝାରସୁଗୁଡ଼ା ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ (ବିଜେଡ଼ି)ରୁ ପ୍ରାର୍ଥୀ ଭାବେ ଲଢିବେ ବୋଲି ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.