Latest Odisha News

ଜାଲିକାଟ୍ଟୁ: ପ୍ରଥା ଓ ପରମ୍ପରାରେ ନୃଶଂସତା !

ପାରମ୍ପରିକ କୃଷି ପର୍ବ ପୋଙ୍ଗଲ୍ ଅବସରରେ ମଣିଷ ଓ ଷଣ୍ଢ ଭିତରେ ଘମାଘୋଟ ଲଢେଇ ହେବାର ଖେଳ ହେଉଛି ଜାଲିକାଟ୍ଟୁ । ପୂର୍ବରୁ ସୁପ୍ରିମକୋର୍ଟ୍ ଏହି ଭୟଙ୍କର ଖେଳ ଉପରେ ଲଗାମ ଲଗାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଉପରେ ଥିବା ସମସ୍ତ କଟକଣାକୁ ଉଠାଇ ଦେଇଥିଲେ ।

ପୂର୍ବରୁ ଏହି ଜାଲିକାଟ୍ଟୁ ଖେଳରେ ଅନେକ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ନିକଟରେ ଅଲଙ୍ଗନଲ୍ଲୁର ଅଞ୍ଚଳରେ ଏହି ଲଢେଇରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୪୦ ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି ।

ଜାଲିକାଟ୍ଟୁ ହେଉଛି ତାମିଲନାଡୁର ଅତ୍ୟନ୍ତ ଲୋକପ୍ରିୟ ଉତ୍ସବ, ଏହା କୃଷି ପର୍ବ ପୋଙ୍ଗଲ୍ରେ ହିଁ ଆୟୋଜିତ ହୋଇଥାଏ । ଲୋକମତ ଅନୁଯାୟୀ ଏହାର ଉତ୍ପତ୍ତି ପ୍ରାୟ ୨୦୦୦ ବର୍ଷ ତଳୁ ଆରମ୍ଭ ହୋଇଥିଲା, ସେତେବେଳର ଲୋକମାନେ ନିଜର ଶାରୀରିକ ଦକ୍ଷତା ପ୍ରଦର୍ଶନ ପାଇଁ ହିଂସ୍ର ଷଣ୍ଢ ସହ ଲଢେଇ କରି ନିଜର ସାମର୍ଥ୍ୟ ପ୍ରତିପାଦନ କରୁଥିଲେ ।

ଏହାର ପ୍ରକୃତ ଅର୍ଥ ହେଉଛି – ଜାଲି (କଏନ୍) ଓ କାଟ୍ଟୁ(ବାନ୍ଧିବା), ପୁରାତନ ଯୁଗରେ କିଛି ମୁଦ୍ରା ବା କଏନ୍ ଷଣ୍ଢର ଶିଙ୍ଗରେ ବାନ୍ଧି ଦିଆଯାଇଥାଏ, ଯେଉଁ ବ୍ୟକ୍ତି ବନ୍ଧାଯାଇଥିବା ମୁଦ୍ରାକୁ ଷଣ୍ଢର ଶିଙ୍ଗରୁ କାଢିବ ସେ ହିଁ ବିଜେତା ହୋଇଥାଏ । ବିଜେତା ନିଜର ବୀରତ୍ୱ ଓ ସାହସିକତା ପ୍ରଦର୍ଶନ କରି ବିଭିନ୍ନ ଉପହାର ପାଇଥାଏ, ଏହାସହିତ ବେଳେବେଳେ କନ୍ୟାମାନଙ୍କୁ ଉପହାର ସ୍ୱରୂପ ପାଇଥାନ୍ତି ଏବଂ ତାଙ୍କୁ ବିବାହ ମଧ୍ୟ କରିଥାନ୍ତି ।

ପରବର୍ତ୍ତୀ ସମୟରେ ଧିରେଧିରେ ଶାରିରୀକ ଦକ୍ଷତା ପ୍ରଦର୍ଶନ କରିବା ପରିବର୍ତ୍ତେ ଏହା ଏବେ ଏକ ମନୋରଞ୍ଜନ ଧର୍ମୀ ଖେଳ ପାଲଟିଯାଇଛି । କିନ୍ତୁ ବର୍ତ୍ତମାନ ସମୟରେ ଲୋକମାନେ ଷଣ୍ଢ ସହ ଲଢିବା ପରିବର୍ତ୍ତେ ଷଣ୍ଢକୁ ଆଘାତ ଦେଇ ବାଧ୍ୟ କରାଉଛନ୍ତି ହିଂସ୍ର ହୋଇ ଲୋକମାନଙ୍କୁ ଆକ୍ରମଣ କରିବା ପାଇଁ ।

ଏହି ମନୋରଞ୍ଜନ ଧର୍ମୀ ଖେଳରେ ଅନେକ ବ୍ୟକ୍ତି ଆହତ ହେବା ସହ ମୃତ୍ୟୁମୁଖରେ ପଡୁଥିବାରୁ ସୁପ୍ରିମକୋର୍ଟ ୨୦୧୪ ମସିହାରେ ଏହା ଉପରେ କଟକଣା ଜାରି କରି ଜାଲିକାଟ୍ଟୁକୁ ବେଆଇନ୍ ଘୋଷଣା କରିଦେଇଥିଲେ, କିନ୍ତୁ ପରବର୍ତ୍ତ ସମୟରେ ବହୁ ବାଦ-ବିବାଦ ପରେ ଏହି ରାଜ୍ୟର ପାରମ୍ପରିକ ଖେଳ ଉପରେ ସୁପ୍ରିମକୋର୍ଟ ଜାରି କରିଥିବା ନିଷେଧାଦେଶକୁ ପ୍ରତ୍ୟାହୃତ କରିନେଇଥିଲେ ।

ଜାଲିକାଟ୍ଟୁ ବ୍ୟତୀତ ଭାରତର ବିଭିନ୍ନ ପ୍ରାନ୍ତ ତଥା ଦେଶବିଦେଶରେ ମଧ୍ୟ ଜୀବଜନ୍ତୁଙ୍କୁ ନେଇ ଚାଲିଛି ଖେଳ ଓ ଖେଳକୁ ନେଇ ଅଦ୍ଭୁତ ଉନ୍ମାଦନା । ପଶ୍ଚିମବଙ୍ଗ, ମଣିପୁର ଓ ଓଡ଼ିଶାରେ ମଧ୍ୟ କୁକୁଡ଼ାଙ୍କୁ ନେଇ ନୃଶଂସ ଭାବେ ଲଢେଇ ଅନୁଷ୍ଠିତ ହେବାର ଦେଖାଯାଏ ।

ସେହିପରି ଓଡିଶାର ପଶ୍ଚିମରେ ଥିବା କଳାହାଣ୍ଡି, ଭବାନୀପାଟଣା ରେ ସେମାନଙ୍କର ପ୍ରସିଦ୍ଧ ମାନିକେଶ୍ୱରୀଙ୍କ ଛତର ଯାତ୍ରାରେ ଅନେକ ପଶୁପକ୍ଷୀଙ୍କୁ ପରସ୍ପର ମଧ୍ୟରେ ଲଢେଇ କରିବା ସହିତ ପ୍ରାୟ ୩୦ ହଜାର ପାଖାପାଖି ପଶୁପକ୍ଷୀଙ୍କୁ ବଳି ପକାଯାଇଥାଏ ।

ଓଡିଶାରେ ମୟୁରଭଞ୍ଜ, କେଉଁଝର, ବାଲେଶ୍ୱର ଜିଲ୍ଲାର ଅଧିବାସୀଙ୍କ ପ୍ରଧାନ ଖେଳ ହେଉଛି ଏହି କୁକୁଡ଼ା ଲଢେଇ । ସେଠାକାର ଅଧିବାସୀଙ୍କ କହିବାନୁଯାୟୀ ଏହା କେବେଠୁ ଆରମ୍ଭ ହେଲାଣି କେହି ଜାଣିନାହାନ୍ତି, କିନ୍ତୁ କେହି କେହି ଏହି ପାରମ୍ପରିକ ଲଢେଇ ପୂର୍ବ ପୁରୁଷଙ୍କ ସମୟରୁ ଚାଲିଆସୁଛି ବୋଲି କହନ୍ତି ।

ଏହାକୁ ବନ୍ଦ କରିବା ପାଇଁ ବିଭିନ୍ନ ଏନ୍.ଜି.ଓ, ପୋଷ୍ଟରସ୍, ବ୍ୟାନର ମାଧ୍ୟମରେ ପଶୁପକ୍ଷୀଙ୍କୁ ଏପରି ନ କରିବା ତଥା ବଳି ନ ଦେବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ ଜାରି ରଖିଛନ୍ତି ।

ସରକାରଙ୍କ ଆଇନଗତ ନିୟମ ଓ ବିରୋଧ ସତ୍ୱେ ମଧ୍ୟ ଆଜିବି ଅନେକ ସ୍ଥାନରେ ଏହି ଲଢେଇ ବେଆଇନ ଭାବେ ଅନୁଷ୍ଠିତ ହେଉଛି । ନିରୀହ ଜୀବମାନଙ୍କ ପ୍ରତି ନିଷ୍ଠୁରତା ଆଚରଣ କରି କେଉଁ ଉନ୍ମାଦନାରେ ମଣିଷ ଖୁସି ହୁଏ ପ୍ରକୃତରେ ଜାଣି ହୁଏନାହିଁ ।

ପେଟା – ନିରୀହ ପଶୁପକ୍ଷୀଙ୍କ ସ୍ୱାର୍ଥ ନିମନ୍ତେ ଗଢି ଉଠିଥିବା ସଙ୍ଗଠନ ହେଉଛି ପେଟା ( ପିପୁଲସ୍ ଫର୍ ଦ ଏଥିକାଲ୍ ଟ୍ରିଟମେଣ୍ଟ୍ ଅଫ ଆନିମଲ୍ ) ଯାହା ପଶୁପକ୍ଷୀଙ୍କ ଅଧିକାର ପାଇଁ କାମ କରିଥାଏ । ୟୁ.ଏସ୍.ଏ ର ଭର୍ଜିନିଆରେ ଏହାର ମୁଖ୍ୟ କାର୍ଯ୍ୟାଳୟ ରହିଛି, ପେଟା ବିଶ୍ୱର ସବୁଠାରୁ ବଡ ପଶୁ ସଙ୍ଗଠନ ବୋଲି ନିଜକୁ ଦାବି କରିଥାଏ । ଇନଗ୍ରିଡ୍ ନ୍ୟୁକିର୍କ ହେଉଛନ୍ତି ପେଟାର ଅନ୍ତରାଷ୍ଟ୍ରୀୟ ଅଧ୍ୟକ୍ଷ ।

ପଶୁପକ୍ଷୀଙ୍କ ସୁରକ୍ଷା ନିମନ୍ତେ ଭାରତୀୟ ଆଇନ ଭାରତୀୟ ସମ୍ବିଧାନରେ ପଶୁପକ୍ଷୀଙ୍କ ଅଧିକାର ପାଇଁ ଅନେକ ଗୁଡିଏ ଆଇନ ପ୍ରଣୟନ ହୋଇଛି ।

ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୫୧(ଏ) ଅନୁଯାୟୀ ଜିବୀତ ପ୍ରାଣୀମାନଙ୍କ ପ୍ରତି ସହାନୁଭୂତି ଭାବ ରଖିବା ପ୍ରତ୍ୟେକ ନାଗରିକର ମୂଳ କର୍ତ୍ତବ୍ୟ ଅଟେ । ଭାରତର ଦଣ୍ଡ ସଂହିତା ଧାରା ୪୨୮ ଓ୪୨୯ ଅନୁଯାୟୀ କୌଣସି ପଶୁକୁ ପିଟି ପିଟି ଯନ୍ତ୍ରଣା ଦେବା ବା ମାରଣାସ୍ତ୍ର ଦ୍ୱାରା ଆହତ କରିବା ଏକ ଦଣ୍ଡନୀୟ ଅପରାଧ ଅଟେ ।

ୱାଇଲ୍ଡ ଲାଇଫ ଆକ୍ଟ ଅନୁସାରେ ମାଙ୍କଡକୁ କେହି ଘରେ ରଖିବା ଆଇନ ସଙ୍ଗତ ନୁହେଁ । ପଶୁପକ୍ଷୀଙ୍କୁ ଜୋର-ଜବରଦସ୍ତ ଲଢେଇ କରିବା ବା ଲଢେଇ ଆୟୋଜନ କରିବା ଏକ ସଙ୍ଗିନ ଅପରାଧ ।

(ଲେଖିକା କଲ୍ୟାଣୀ ପରିଡ଼ା ଜଣେ ସାମ୍ବାଦିକା ତଥା ନିୟମିତ ସ୍ତମ୍ଭକାର।)

Leave A Reply

Your email address will not be published.