ରାୟଗଡ଼ା: ଚଳନ୍ତା ଟ୍ରେନରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଓ ଦୁର୍ବ୍ୟବହାର କରାଯାଇଥିବା ଭଳି ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି। ଆଉ ଏହି ସଂଗୀନ କାଣ୍ଡ ଭିଆଇଛି ଜଣେ ମାନ୍ୟବର ବିଧାୟକଙ୍କ ଗାଡ଼ି ଚାଳକ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପବିତ୍ର ସାଉନ୍ତାଙ୍କ ଡ୍ରାଇଭର ବିକାଶ ବାଗ୍ଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ପରେ ତାଙ୍କୁ ରେଳବାଇ ପୋଲିସ ଗିରଫ କରିଛି। ବିଧାୟକଙ୍କ ପ୍ରଭାବଶାଳୀ ପରିଚୟ ଦେଇ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କ ପରିବାରକୁ ଧମକ ଚମକ ଦେବାକୁ ମଧ୍ୟ ପଛାଇ ନଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ହୀରାଖଣ୍ଡ ଏକ୍ସପ୍ରେସ୍ ଟ୍ରେନ୍ରେ ଜଣେ ରେଳବାଇ ସୁରକ୍ଷା ବଳ ଗୁଇନ୍ଦା ବିଭାଗର କର୍ମଚାରୀଙ୍କ ପରିବାର ଯାତ୍ରା କରୁଥିଲେ। ସେମାନଙ୍କ ସହ ତାଙ୍କର ନାବାଳିକା ଝିଅ ମଧ୍ୟ ଥିଲେ। ସମସ୍ତେ ଶୋଇଥିବା ସମୟରେ ବିଧାୟକଙ୍କ ଡ୍ରାଇଭର ବିକାଶ ବାଗ୍ ସେହି କୋଚ୍କୁ ଆସି ନାବାଳିକାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ତାଙ୍କ ସହ ଅସଦାଚରଣ କରିଥିଲା। ଏହାକୁ ନେଇ କୋଚ୍ ଭିତରେ ଚିତ୍କାର ଓ ହଟ୍ଟଗୋଳର ପରିବେଶ ସୃଷ୍ଟି ହୋଇଥିଲା।
ପୀଡ଼ିତାଙ୍କ ପରିବାର ଏବଂ ଅନ୍ୟ ସହ-ଯାତ୍ରୀମାନେ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ବିକାଶ ନିଜର ଦୋଷ ସ୍ୱୀକାର କରିବା ବଦଳରେ ପାୱାର ଦେଖାଇବା ଆରମ୍ଭ କରିଥିଲା। ସେ ନିଜକୁ ଲକ୍ଷ୍ମୀପୁର ବିଧାୟକଙ୍କ ଡ୍ରାଇଭର ବୋଲି ପରିଚୟ ଦେଇ ଖାତିର ଦେଖାଉଥିଲେ ଏବଂ କେହି ତାର କିଛି ବିଗାଡ଼ି ପାରିବେ ନାହିଁ ବୋଲି ଓଲଟା ଧମକ ଦେଇଥିଲା। ମାତ୍ର ଯାତ୍ରୀମାନେ ତାକୁ କାବୁ କରିନେଇଥିଲେ।
ଟ୍ରେନ୍ଟି ରାୟଗଡ଼ା ଷ୍ଟେସନରେ ପହଞ୍ଚିବା ମାତ୍ରେ ଯାତ୍ରୀମାନେ ଅଭିଯୁକ୍ତକୁ ରେଳବାଇ ପୋଲିସ ଜିମା ଦେଇଥିଲେ। ପୀଡ଼ିତାଙ୍କ ପରିବାର ପକ୍ଷରୁ ଏକ ଲିଖିତ ଅଭିଯୋଗ ଦାୟର ହେବା ପରେ ଜିଆରପି ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ବିକାଶ ବାଗ୍କୁ ଗିରଫ କରିଛି।
Comments are closed.