Latest Odisha News

BREAKING NEWS

ବ୍ରିଟେନ ରାଜନୀତିରେ ଭୂକମ୍ପ: ପ୍ରଧାନମନ୍ତ୍ରୀ କିର ଷ୍ଟାରମର ଦେବେ ଇସ୍ତଫା, ପୂର୍ବାନୁମାନ କଲେ ଡୋନାଲ୍ଡ ଟ୍ରମ୍ପ

ଲଣ୍ଡନ/ୱାଶିଂଟନ: ବ୍ରିଟେନ ରାଜନୀତିରେ ପୁଣି ଏକ ବଡ଼ ଧରଣର ବିପର୍ଯ୍ୟୟର ଆଶଙ୍କା ଦେଖାଦେଇଛି। ଦେଶର ପ୍ରଧାନମନ୍ତ୍ରୀ କିର ଷ୍ଟାରମର ନିଜ ପଦବୀରୁ ଇସ୍ତଫା ଦେବାକୁ ଯାଉଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ବ୍ରିଟିଶ ଗଣମାଧ୍ୟମର ସୂଚନା ଅନୁଯାୟୀ, ଦଳ ଭିତରେ ବଢୁଥିବା ଅସନ୍ତୋଷ ଓ ବିରୋଧ ଯୋଗୁଁ ସେ ସୋମବାର ହିଁ ନିଜର ଇସ୍ତଫା ଘୋଷଣା କରିପାରନ୍ତି।

 

ଏହି ସରଗରମ ଚର୍ଚ୍ଚା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନିଆଁରେ ଘିଅ ଢାଳିବା ଭଳି କାମ କରିଛନ୍ତି। ପ୍ରଧାନମନ୍ତ୍ରୀ ଷ୍ଟାରମର ନିଶ୍ଚିତ ଭାବେ ଇସ୍ତଫା ଦେବେ ବୋଲି ଟ୍ରମ୍ପ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

 

ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍‌’ରେ ଏକ ପୋଷ୍ଟ କରି ଟ୍ରମ୍ପ ଲେଖିଛନ୍ତି, “କିର ଷ୍ଟାରମର ୟୁନାଇଟେଡ୍ କିଙ୍ଗଡମ୍‌ର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ସେ ଦେଶର ଦୁଇଟି ଅତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅନୁପ୍ରବେଶ ଏବଂ ଶକ୍ତି ନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି। ମୁଁ ତାଙ୍କର ଶୁଭକାମନା କରୁଛି।” ଏହା ସହିତ ଉତ୍ତର ସାଗରରେ ତେଲ ଉତ୍ତୋଳନ ପ୍ରକ୍ରିୟାକୁ ତୁରନ୍ତ ଆରମ୍ଭ କରିବା ପାଇଁ ବ୍ରିଟେନକୁ ପରାମର୍ଶ ଦେଇଛନ୍ତି ଟ୍ରମ୍ପ।

 

ବାସ୍ତବରେ, ବ୍ରିଟେନର ଶାସକ ଦଳ ‘ଲେବର ପାର୍ଟି’ ମଧ୍ୟରେ ଗତ କିଛି ମାସ ହେବ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିଦ୍ରୋହ ସୃଷ୍ଟି ହୋଇଛି। ଗତ ଶୁକ୍ରବାର ଦିନ ବ୍ରିଟେନ ସଂସଦର ମେକରଫିଲ୍ଡ ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଷ୍ଟାରମରଙ୍କ କଠୋର ପ୍ରତିଦ୍ୱନ୍ଦ୍ୱୀ ତଥା ଗ୍ରେଟର ମାଞ୍ଚେଷ୍ଟରର ପୂର୍ବତନ ମେୟର ଆଣ୍ଡି ବର୍ନହାମ ବିଜୟୀ ହେବା ପରେ ଏହି ସଙ୍କଟ ଆହୁରି ଘନୀଭୂତ ହୋଇଛି। ଦଳୀୟ ନିୟମ ଅନୁସାରେ ସଂସଦକୁ ବର୍ନହାମଙ୍କ ପ୍ରତ୍ୟାବର୍ତ୍ତନ ପରେ ଏବେ ଷ୍ଟାରମରଙ୍କ ନେତୃତ୍ୱକୁ ସିଧାସଳଖ ଚ୍ୟାଲେଞ୍ଜ କରିବା ପାଇଁ ବିରୋଧୀ ଗୋଷ୍ଠୀକୁ ବାଟ ମିଳିଯାଇଛି। ସ୍ଥିତି ଏପରି ହୋଇଛି ଯେ ଶାସକ ଦଳର ୧୦୦ରୁ ଅଧିକ ସାଂସଦ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିସାରିଲେଣି।

 

ଅନ୍ୟପଟେ, ୱାଶିଂଟନ ଏବଂ ଲଣ୍ଡନ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି ହୋଇଛି। ଜାନୁଆରୀରେ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ପରେ ଷ୍ଟାରମର ଆମେରିକା ସହ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ମଧ୍ୟ-ପ୍ରାଚ୍ୟ ପ୍ରସଙ୍ଗରେ ଆମେରିକାର ସାମରିକ ଅଭିଯାନକୁ ସେ ସମ୍ପୂର୍ଣ୍ଣ ସମର୍ଥନ ନଦେବାରୁ ଉଭୟ ଦେଶ ମଧ୍ୟରେ ଦୂରତା ବଢ଼ିଥିଲା।

 

ଯଦି କିର ଷ୍ଟାରମର ପ୍ରଧାନମନ୍ତ୍ରୀ ପଦ ଛାଡ଼ନ୍ତି, ତେବେ ଗତ ୧୦ ବର୍ଷ ମଧ୍ୟରେ ବ୍ରିଟେନ ସପ୍ତମ ପ୍ରଧାନମନ୍ତ୍ରୀ ଦେଖିବ। ତେବେ ଏହି ସମଗ୍ର ବିବାଦ ଓ ଟ୍ରମ୍ପଙ୍କ ବୟାନକୁ ନେଇ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ‘ଡାଉନିଂ ଷ୍ଟ୍ରିଟ୍‌’ ପକ୍ଷରୁ କୌଣସି ଆଧିକାରୀକ ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ଷ୍ଟାରମର ଦେଶର ସେବା ଓ ନିଜ କାର୍ଯ୍ୟ ଉପରେ ଏବେ ଧ୍ୟାନ କେନ୍ଦ୍ରୀଭୂତ କରୁଛନ୍ତି ବୋଲି ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.