Latest Odisha News

BREAKING NEWS

ନବ ଦାସଙ୍କୁ ହତ୍ୟାର କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ପିସିସି ସଭାପତି

ଭୁବନେଶ୍ୱର: ଓଡ଼ିଶା ଇତିହାସରେ ପ୍ରଥମ । ସରକାର ନିଜ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ବଞ୍ଚାଇବାରେ ଅସଫଳ ହେଲେ । କ୍ୟାବିନେଟ୍ ମନ୍ତ୍ରୀଙ୍କୁ ପୋଲିସ ଏଏସ୍ଆଇ ହତ୍ୟା କଲେ । ଏବେ ଯେଉଁ ତଦନ୍ତ ଚାଲିଛି ତାକୁ ନେଇ କଂଗ୍ରେସ ସନ୍ତୁଷ୍ଟ ନାହିଁ । ତା ଛଡ଼ା ଗୋପାଳ ପାଇଖାନା ଟାଙ୍କିରେ କାଗଜ ଖଣ୍ଡେ ପକେଇଲେ ୪ ଦିନ ପରେ ବି ତାହା ବତୁରିଲା ନାହିଁ । ଯାହାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।

କହିଛନ୍ତି, ନବ ଦାସଙ୍କ ପୂର୍ବରୁ ଝାରସୁଗୁଡ଼ାରେ ୨ରୁ ୩ଟି ହତ୍ୟାକାଣ୍ଡ ଘଟିଛି । ସରକାର ତାକୁ ଗୁରୁତର ସହ ନେଉ ନାହାନ୍ତି । କୋଇଲା ବ୍ୟବସାୟକୁ ନେଇ ଗଣ୍ଡଗୋଳ ଘଟୁଛି । ସରକାରଙ୍କ ନିଘା ନାହିଁ । ଏବେ ରାଜ୍ୟ ସରକାର ମନ୍ତ୍ରୀଙ୍କ ହତ୍ୟାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି । ଏହା ପୂର୍ବରୁ କ୍ରାଇମବ୍ରାଞ୍ଚ ଏଭଳି ଅନେକ ମାମଲାର ତଦନ୍ତ କରିଛି । କେତେ ଜଣ ଧରା ପଡ଼ିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶରତ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କାହିଁକି ମୁହଁ ଖୋଲି ନାହାଁନ୍ତି । ଦୋଷୀ ତ ନିଜେ କହୁଛି ସେ ମାରିଛି । ଗୋପାଳକୁ ପାଗଳ ସଜାଇ ତଦନ୍ତ କରୁଛନ୍ତି । ସରକାରଙ୍କ ଉପରେ ଭରସା ତୁଟୁଛି । ରାଜ୍ୟବାସୀ କହୁଛନ୍ତି ହତ୍ୟା ପଛରେ ଷଡ଼ଯନ୍ତ୍ର ରହିଛି । ମୁଖ୍ୟମନ୍ତ୍ରୀ ସେ ଷଡ଼ଯନ୍ତ୍ର କଥା କୁହନ୍ତୁ । ସିବିଆଇକୁ ତଦନ୍ତ ପାଇଁ କୁହନ୍ତୁ । ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ ହୋଇ ପଡ଼ିଛି ।

କ୍ରାଇମବ୍ରାଞ୍ଚ ଦୁଇ ଥର ରିମାଣ୍ଡରେ ନେଲାଣି, କିଛି ମିଳୁନି । ମୁଖ୍ୟମନ୍ତ୍ରୀ କୁହନ୍ତୁ, ଲୋକେ ବିଶ୍ୱାସ କରିବେ । କଂଗ୍ରେସ ହତ୍ୟାକାଣ୍ଡ ବିରୋଧରେ ପ୍ରତିବାଦ କରିବ । ଦରକାର ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇବେ । କଂଗ୍ରେସ ନ୍ୟାୟ ଚାହେଁ, ମୁଖ୍ୟମନ୍ତ୍ରୀ ମୁହଁ ଖୋଲନ୍ତୁ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

Leave A Reply

Your email address will not be published.