Latest Odisha News

BREAKING NEWS

ଆସନ୍ତା ୨୭ ତାରିଖରେ ବିଧାନସଭା ଘେରିବ କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ନାରୀଙ୍କ ସୁରକ୍ଷା ଓ ନ୍ୟାୟ ଦାବିରେ ଆସନ୍ତା ୨୭ ତାରିଖରେ ବିଧାନସଭା ଘେରିବ କଂଗ୍ରେସ । ରାଜରାସ୍ତାକୁ ଓହ୍ଲାଇ ଓ ଜୋରଦାର ଲଢେଇ କରିବ କଂଗ୍ରେସ । ଯେ ପର୍ଯ୍ୟନ୍ତ ନାରୀଙ୍କୁ ଉପଯୁକ୍ତ ସମ୍ମାନ ଏବଂ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ କଂଗ୍ରେସ ଦଳ ଲଢେଇ ଜାରି ରଖିବ ବୋଲି ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଡ଼ ଦେବାଶିଷ ପଟ୍ଟନାୟକ କହିଛନ୍ତି ।

ତେଣୁ ନାରିଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ସରକାର ବିରୁଦ୍ଧରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଆହ୍ଵାନରେ ଏବଂ ନେତୃତ୍ୱରେ ଆସନ୍ତା ୨୭ ତାରିଖ ଦିନ ବିଧାନସଭା ଘେରାଉ କରାଯିବ । ରାଜ୍ୟର ସମସ୍ତ ଜିଲ୍ଲାରୁ ବହୁ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ସାମିଲ ହେବେ । ଏଥିନେଇ ରାଜ୍ୟର ସମସ୍ତ ଜିଲ୍ଲା ପ୍ରସ୍ତୁତି ବୈଠକ କରାଯାଇଛି । ଏହି ଅବସରରେ ରାଜ୍ୟର ଜନସାଧାରଣ ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ସାମିଲ ହୋଇ ମହିଳାଙ୍କୁ ନ୍ୟାୟ ଦେବାପାଇଁ ଆଗେଇ ଆସିବା ପାଇଁ ଡ ପଟ୍ଟନାୟକ ଅନୁରୋଧ କରିଥିଲେ ।

ଡ଼ ପଟ୍ଟନାୟକ ଆହୁରି କହିଛନ୍ତି ଯେ, ରାଜ୍ୟରେ ପାଖାପାଖି ୪୫ ହଜାରରୁ ଅଧିକ ମହିଳା ଓ ଶିଶୁ ନିଖୋଜ ଅଛନ୍ତି । ବିଜେପି ସରକାରର ୯ ମାସ ମଧ୍ୟରେ ୧୨.୯ ପ୍ରତିଶତ ମହିଳା ବିଭିନ୍ନ ଅତ୍ୟାଚାରର ଶିକାର ହୋଇଛନ୍ତି । ବିଭିନ୍ନ ଥାନାରେ ୧୬୦୦ କେସ ପଞ୍ଜିକୃତ ହୋଇଛି । ନାରୀ ନିର୍ଯ୍ୟାତନାରେ ମହାମହିମ ରାଷ୍ଟ୍ରପତିଙ୍କ ଗାଁ ମଧ୍ୟ ବାଦ୍ ପଡିନି । ରାଜ୍ୟ ସରକାର ମହିଳାଙ୍କୁ ସଶକ୍ତ କରିବା କଥା କହୁଛନ୍ତି କିନ୍ତୁ ସ୍କୁଲ ପିଲା ଗର୍ଭବତୀ ହେବା କଣ ନାରୀ ସୁରକ୍ଷା ବୋଲି ପ୍ରଶ୍ନ କରିଛନ୍ତି ଡ଼ ପଟ୍ଟନାୟକ ।

ସବୁବେଳେ କଂଗ୍ରେସ ନାରୀଙ୍କୁ ସମ୍ମାନ ଦେବା ସହ ସୁରକ୍ଷା ନେଇ କାର୍ଯ୍ୟ କରିଆସୁଛି । ତେଣୁ ରାଜ୍ୟରେ ନାରୀଙ୍କ ସୁରକ୍ଷା ଓ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇବ ଓ ଜୋରଦାର ଲଢେଇ କରିବ । ଯେ ପର୍ଯ୍ୟନ୍ତ ନାରୀଙ୍କୁ ଉପଯୁକ୍ତ ସମ୍ମାନ ଏବଂ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ କଂଗ୍ରେସ ଦଳ ଲଢେଇ ଜାରି ରଖିବ ବୋଲି ଡ଼ ପଟ୍ଟନାୟକ ସରକାରଙ୍କୁ ଚେତେଇ ଦେଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ଏବଂ କେନ୍ଦ୍ରରେ ବିଜେପି ସରକାର ଗଠନ କରିବା ପରେ ମହିଳା ମାନଙ୍କ ପ୍ରତି ବିଭିନ୍ନ ପ୍ରକାର ଅତ୍ୟାଚାର ବଢ଼ି ଚାଲିଥିବା ଅଭିଯୋଗ କରିଥିଲା କଂଗ୍ରେସ । ଏନେଇ ରାଜ୍ୟରେ ମହିଳାଙ୍କ ସୁରକ୍ଷା ଏବଂ ନ୍ୟାୟ ଦାବିରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିଷ୍ପତି କ୍ରମେ ଏବଂ ନିର୍ଦ୍ଦେଶରେ ଗତ ୧୦ ତାରିଖ ଦିନ ସମସ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।

Comments are closed.