ଭୁବନେଶ୍ୱର: କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଇସ୍ତଫା ଦେଇଛନ୍ତି । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ପ୍ରଦୀପ ଇସ୍ତଫା ଦେଲେ । ସେ ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି ।
ଅତ୍ୟନ୍ତ ଦୁଃଖ ଓ ଯନ୍ତ୍ରଣାର ସହିତ ଏଭଳି ନିଷ୍ପତ୍ତି ନେଇଥିବା ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି । ଦଳରେ ଏବେ ଜନସେବା କରିବାର ସୁଯୋଗ ନ ଥିବାରୁ ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଥିବା କଥା ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ଦଳ ସାଧାରଣ ଲୋକଙ୍କଠାରୁ ବିଶ୍ବସନୀୟତା ହରାଇଛି, ଯାହାକୁ ପୁନର୍ବାର ଫେରାଇ ଆଣିବା ପାଇଁ ସମୟ ଲାଗିବ ବୋଲି ସେ କହିଛନ୍ତି ।
ଏହାଫଳରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସର ଦୁର୍ଗ ଭୁଶୁଡ଼ିଛି। ଏହା କଂଗ୍ରେସ ଦଳ ପାଇଁ ଶକ୍ତ ଧକ୍କା ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ପ୍ରଦୀପ ମାଝୀ ନବରଙ୍ଗପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।
ଗତ କିଛି ମାସ ହେବ ପ୍ରଦୀପ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା, ଯାହାକୁ ନେଇ ରାଜ୍ୟ କଂଗ୍ରେସ ଚିନ୍ତାରେ ରହିଥିଲା। ତେବେ ଚର୍ଚ୍ଚାକୁ ବନ୍ଦ କରିବା ପାଇଁ ଶ୍ରୀ ମାଝୀ କିଛି ଦିନ ତଳେ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ। ଆଜି ସକାଳୁ ହଠାତ୍ ପ୍ରଦୀପ ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟରୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।
ତାଙ୍କ ଇସ୍ତଫା ପତ୍ରକୁ ମେଲ୍ ମାଧ୍ୟମରେ ପଠାଇଥିବା ଜଣାପଡିଛି । ତାଙ୍କ ଇସ୍ତଫାପତ୍ର ରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟ କଂଗ୍ରେସରେ କିଛି ନେତା କିଛି ଗୁରୁତ୍ବ ପୁର୍ଣ୍ଣ ପଦପଦବିରେ ରହି ନିୟମକୁ ନମାନି ଦଳକୁ ନିମ୍ନଗାମୀ କରିବା ପାଇଁ ଉଦ୍ୟମ କରୁଛନ୍ତି। ଯାହାକି ଦଳକୁ ପୁନଃର୍ଗଠନ ପାଇଁ ସମୟସାପେକ୍ଷ ବୋଲି ଉଲ୍ଲେଖ କରିଛନ୍ତି।
କୋରାପୁଟ କଂଗ୍ରେସ ନେତାଙ୍କ ଇସ୍ତଫା ପର୍ବ ଚାଲିଥିବା ବେଳେ ଗତ ୪ ଦିନ ହେବ ନବରଙ୍ଗପୁର ଜିଲ୍ଲା କଂଗ୍ରେସର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅଖିଳ ଭତ୍ରା ଓ ଯୁବ କଂଗ୍ରେସର ମିଡିଆ ସେଲ୍ ର ଦକ୍ଷିଣ ଓଡିଶା ପ୍ରଭାରୀ ସୁମିତ ପୂଜାରୀ ଇସ୍ତଫା ଦେଇସାରିଥିଲେ।
ପ୍ରଦୀପ ମାଝିଙ୍କ ଇସ୍ତଫା ସଂପର୍କରେ ପ୍ରତିକ୍ରିୟା ଦେଇ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ପ୍ରଦୀପଙ୍କୁ ଏଆଇସିସି ସସପେଣ୍ଡ କରିବା ଆଗରୁ ପ୍ରଦୀପ ମାଝି ଇସ୍ତଫା ଦେଇଛନ୍ତି । ପ୍ରଦୀପ ଜଣେ ଉଚ୍ଚାଙ୍କାକ୍ଷୀ । ତାଙ୍କର ଇସ୍ତଫା ଦଳ ଉପରେ କିଛି ପ୍ରଭାବ ପକାଇବ ନାହିଁ।
Comments are closed.