ଭୁବନେଶ୍ୱର:ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘ ସମୟ ଧରି ମହାନଦୀ ଜଳ ବିବାଦ ଲାଗି ରହିଛି । ତେବେ ମହାନଦୀ ଜଳ ବିବାଦ ପାଇଁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠନ ହେଲା ଉଚ୍ଚସ୍ତରୀୟ କମିଟି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ୭ ଜଣିଆ କମିଟି ଗଠନ ।
ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ସମ୍ମୁଖରେ ଚାଲୁଥିବା ଆଲୋଚନା ଓ ପ୍ରକ୍ରିୟାଗୁଡିକୁ ଦୃଷ୍ଟିରେ ରଖି ଏବଂ ମହାନଦୀ ଜଳ ବିଷୟର ଜଟିଳତା ଓ ଭାବପ୍ରବଣତାର ଗୁରୁତ୍ୱ ଦେଇ ସରକାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ।
ଏହି କମିଟି ମହାନଦୀ ଜଳ ସମ୍ବନ୍ଧୀୟ ସମସ୍ତ ପ୍ରାସଙ୍ଗିକ ଦିଗକୁ ପରୀକ୍ଷା କରିବ ଏବଂ ରାଜ୍ୟର ବୈଷୟିକ ଏବଂ ପ୍ରଶାସନିକ ସ୍ତରରେ ଚାଲୁଥିବା ପ୍ରୟାସଗୁଡ଼ିକୁ ଆବଶ୍ୟକ ନୀତିଗତ ଦିଗଦର୍ଶନ ପ୍ରଦାନ କରିବ।
ଏଥିରେ ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଧାୟକ ନିରଞ୍ଜନ ପୂଜାରୀ, ବିଧାୟକ ଜୟନାରାୟଣ ମିଶ୍ର, ବିଧାୟିକା ସୋଫିଆ ଫିର୍ଦ୍ଦୋଶ ରହିଛନ୍ତି।
Comments are closed.