Latest Odisha News

BREAKING NEWS

ଅନଲାଇନ୍ ହୋଟେଲ ବୁକିଂ ଠକେଇରେ ରାଜସ୍ଥାନରୁ ୨ ଗିରଫ

ଭୁବନେଶ୍ୱର: ଆଜିକାଲି ପୁରୀକୁ ତୀର୍ଥଯାତ୍ରା ପାଇଁ ଅନେକ ଶ୍ରଦ୍ଧାଳୁ ଆସୁଥିବାରୁ ସେମାନଙ୍କୁ ସୁବିଧାରେ ଟାର୍ଗେଟ କରୁଛନ୍ତି ସାଇବର ଠକ।

ନିକଟରେ ତୀର୍ଥଯାତ୍ରୀମାନଙ୍କୁ ଟାର୍ଗେଟ କରି ଏକ ଅନଲାଇନ୍ ହୋଟେଲ ବୁକିଂ ଠକେଇରେ ସମ୍ପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତଙ୍କୁ ରାଜସ୍ଥାନରୁ ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚ ଗିରଫ କରିଛି।

ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଅଲୱାରର ୨୪ ବର୍ଷୀୟ ଆମିର ଖାନ ହୋଇଥିବା ବେଳେ ଅନ୍ୟଜଣେ ଭରତପୁରର ୨୭ ବର୍ଷୀୟ ୟୁସୁଫ ବୋଲି ଜଣାପଡିଛି। ପୁରୀର ନୀଳାଦ୍ରି ଭକ୍ତ ନିବାସରେ ବାସସ୍ଥାନ ବୁକିଂ କରିବା ପାଇଁ ଏହି ଦୁଇଜଣ ଏକ ନକଲି ମୋବାଇଲ ନମ୍ବର ସହିତ www.neeladribhaktanivas.in ନାମକ ଏକ ନକଲି ୱେବସାଇଟ୍ ମଧ୍ୟ ତିଆରି କରିଥିଲେ।

ତେବେ ଶ୍ରଦ୍ଧାଳୁମାନଙ୍କ ଠାରୁ ଟଙ୍କା ଲୁଟ କରିବାକୁ ସେମାନଙ୍କୁ ପ୍ରଥମେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ କୁହାଯାଇଥିଲା ଯାହାକି ପ୍ରକୃତ ହୋଟେଲ କର୍ତ୍ତୃପକ୍ଷଙ୍କୁ ସମ୍ପୂର୍ଣ୍ଣ ଅଜଣା ଥିବା କ୍ରାଇମ ବ୍ରାଞ୍ଚ କହିଛି। ତେବେ ଏହି ସବୁ ତଦନ୍ତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ)ର ମୁଖ୍ୟ ପ୍ରଶାସକଙ୍କ ଅଭିଯୋଗ ପରେ ଆରମ୍ଭ ହୋଇଥିଲା। ଅଭିଯୁକ୍ତମାନଙ୍କୁ ଗୋବିନ୍ଦଗଡ଼ କୋର୍ଟରେ ହାଜର କରାଯିବା ସହ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶାକୁ ଅଣାଯାଇଥିଲା। ଏହା ପୂର୍ବରୁ ଆଗ୍ରାରୁ ଅନ୍ୟ ଜଣେ ଷଡ଼ଯନ୍ତ୍ରକାରୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଏବଂ ସୂଚନା ପ୍ରଯୁକ୍ତି ଆଇନ ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ତେବେ ଯଦି କୌଣସି ବ୍ୟକ୍ତି ଏପରି ଠକାମୀର ଶିକାର ହୁଅନ୍ତି ତେବେ ସେ ହେଲ୍ପଲାଇନ୍ ନମ୍ବର ୧୯୩୦ କିମ୍ବା ନିକଟତମ ପୋଲିସ ଷ୍ଟେସନରେ ତୁରନ୍ତ ସାଇବର ଠକେଇ ରିପୋର୍ଟ କରିବା ନେଇ ଅଧିକାରୀ ମାନଙ୍କ ତରଫରୁ କୁହାଯାଇଛି।

 

Comments are closed.