Latest Odisha News

BREAKING NEWS

ରାଜ୍ୟରେ ବନ୍ଦ ହେବ ଉବେର ଓ ରାପିଡୋ ବାଇକ୍‌ ସେବା

ଭୁବନେଶ୍ୱର: ରାଜ୍ୟରେ ଉବେର (Uber) ଏବଂ ରାପିଡୋ (Rapido) ର ଘରୋଇ ବାଇକ୍‌ ଟ୍ୟାକ୍ସି ସେବା ବନ୍ଦ କରିବାକୁ ରାଜ୍ୟ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶ ଦେଇଛି। ଏଥିପାଇଁ ଉଭୟ ସଂସ୍ଥାକୁ ୧୫ ଦିନର ସମୟସୀମା (ଡେଡ୍‌ଲାଇନ୍‌) ଦିଆଯାଇଛି। ଉବେର ଓ ରାପିଡୋରେ ବ୍ୟବହୃତ ପ୍ରାଇଭେଟ ନଂ ୨ ଚକିଆ ଗାଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉବେର ଓ ରାପିଡୋର ନୋଡାଲ ଅଧିକାରୀଙ୍କୁ ଏନେଇ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ।

ମୋଟର ଯାନ ଆଇନ ୧୯୮୮ (Motor Vehicles Act, 1988) ଏବଂ ଓଡ଼ିଶା ଅନ୍‌-ଡିମାଣ୍ଡ ଟ୍ରାନ୍ସପୋର୍ଟେସନ ଟେକ୍ନୋଲୋଜି ଏଗ୍ରିଗେଟର୍ସ ଗାଇଡଲାଇନ୍ସ ୨୦୨୩ ଅନୁଯାୟୀ ଘରୋଇ ନମ୍ବର ପ୍ଲେଟ୍ (ଧଳା ପ୍ଲେଟ୍) ଥିବା ଦୁଇ ଚକିଆ ଯାନକୁ ବ୍ୟବସାୟିକ ଯାତ୍ରୀ ପରିବହନରେ ବ୍ୟବହାର କରିବା ବେଆଇନ ଅଟେ। ତେଣୁ ମୋଟର ଭେଇକିଲ ଆକ୍ଟର ଉଲଂଘନ କରୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ପ୍ରାଇଭେଟ ଗାଡ଼ିକୁ ଯାତ୍ରୀ ପରିବହନ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଉଛି, ଯାହା ବେଆଇନ ଅଟେ। ଏହି ସବୁକୁ ଦୃଷ୍ଟିରେ ରଖି ରାଜ୍ୟ କ୍ରାଇମବ୍ରାଞ୍ଚ ଏପରି ନିଷ୍ପତ୍ତି ନେଇଛି।

ନୋଟିସ୍ ପାଇବାର ୧୫ ଦିନ ମଧ୍ୟରେ ଜିଓ-ଫେନ୍ସିଂ (Geo-fencing) ବ୍ୟବହାର କରି ଘରୋଇ ବାଇକ୍‌ ବୁକିଂ ସୁବିଧା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଉବେର ଓ ରାପିଡୋର ନୋଡାଲ ଅଧିକାରୀମାନଙ୍କୁ ଚିଠି ଲେଖାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ସେବା ବନ୍ଦ କରି କ୍ରାଇମବ୍ରାଞ୍ଚ ଏବଂ ରାଜ୍ୟ ପରିବହନ ପ୍ରାଧିକରଣ (STA) ନିକଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମ ନମାନିଲେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। କେବଳ ଘରୋଇ ବାଇକ୍‌ ଟ୍ୟାକ୍ସି ସେବା ଉପରେ ରୋକ୍ ଲଗାଯାଇଛି। ଏହି ଆପ୍‌ଗୁଡ଼ିକ ମାଧ୍ୟମରେ ଚାଲୁଥିବା ଅନୁମୋଦିତ କ୍ୟାବ୍ (Car) ଏବଂ ଅଟୋ-ରିକ୍ସା ସେବା ପୂର୍ବଭଳି ଜାରି ରହିବ ବୋଲି ସ୍ପଷ୍ଟ କରାଯାଇଛି।

 

Leave A Reply

Your email address will not be published.