ଭୁବନେଶ୍ଵର: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ସଚିବ ସ୍ତରରେ ୫ ଜଣ ଅଫିସରଙ୍କ ଅଦଳବଦଳ ହୋଇଛି । ଏଥିସହ ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରୁ ଅରିନ୍ଦମ ଡାକୁଆଙ୍କୁ ବଦଳି କରାଯାଇଛି । ଅରିନ୍ଦମଙ୍କୁ ପୌର ପ୍ରଶାସକ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ଵ ପ୍ରଦାନ କରାଯାଇଛି। ୨୦୧୧ ବ୍ୟାଚର ଆଇଏଏସ ଅରିନ୍ଦମ ଡାକୁଆ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।
ବିଜ୍ଞପ୍ତି ଅନୁସାରେ, ଆଇଏଏସ ଅଧିକାରୀ ପ୍ରେମଚାନ୍ଦ ଚୌଧୁରୀଙ୍କୁ ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗ ଦାୟିତ୍ବ ଦିଆଯାଇଥିବା ବେଳେ ଇପିକଲର ଏମଡି ଭୂପିନ୍ଦର ପୁନିଆଙ୍କୁ ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ସେହିପରି ଆଇଏଏସ ଅଧିକାରୀ ଟି. ଆଓଙ୍କୁ ଯୋଜନା ଓ ସଂଯୋଜନ ବିଭାଗ ସ୍ବତନ୍ତ୍ର ସଚିବ ଦାୟିତ୍ଵ ଦିଆଯାଇଥିବା ବେଳେ ପ୍ରିନ୍ସିପାଲ ସେକ୍ରେଟାରୀ ଏନବିଏସ ରାଜପୁତ ପବ୍ଲିକ ଏଣ୍ଟରପ୍ରାଇଜର୍ସ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ ।
ତେବେ ୨୦୧୧ ବ୍ୟାଚର ଆଇଏଏସ୍ ଅରିନ୍ଦମ ଡାକୁଆଙ୍କୁ ଗତବର୍ଷ ଜୁଲାଇ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ କରାଯାଇଥିଲା । ଶ୍ରୀ ଡାକୁଆ ୨୦୧୩ ଜୁଲାଇରୁ ୨୦୧୪ ଅଗଷ୍ଟ ମାସ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଜିଳ୍ଲାପାଳ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଶ୍ରୀ ଡାକୁଆ ବଲାଙ୍ଗୀର ଓ ନୟାଗଡ଼ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିସାରିଛନ୍ତି । ତେବେ ଅରିନ୍ଦମ ଡାକୁଆଙ୍କ ପରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବରେ କିଏ ସେହି ସ୍ଥାନ ନେବ ସେନେଇ ଏବେ ଚର୍ଚ୍ଚା ଲାଗିରହିଛି ।
Comments are closed.