କଟକ : ବହୁ ଚର୍ଚ୍ଚିତ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲାର ଶୁଣାଣି ଆସନ୍ତାକାଲି ହେବ ବୋଲି ସୂଚନା ରହିଛି। କଟକର ଫ୍ୟାମିଲି କୋର୍ଟ ବା ପାରିବାରିକ କୋର୍ଟ ଏହି ମାମଲାର ଶୁଣାଣି କରିବେ।
ପ୍ରତିପକ୍ଷଙ୍କ ଆବେଦନ ଉପରେ ଆପତ୍ତି ଓ ବୈବାହିକ କଳହ ସମ୍ପର୍କିତ ମୁଖ୍ୟ ମାମଲାରେ ଯୁକ୍ତିତର୍କ ପାଇଁ କୋର୍ଟ ସେପ୍ଟେମ୍ବର ୮ ତାରିଖକୁ ଧାର୍ଯ୍ୟ କରିଛନ୍ତି।
ନିକଟରେ ଏହି ମାମଲାରେ ଫ୍ୟାମିଲି କୋର୍ଟରେ ଶୁଣାଣି ହୋଇଥିଲା। କିନ୍ତୁ ଉଭୟ ବର୍ଷା ଏବଂ ଅନୁଭବ ଅନୁପସ୍ଥିତ ଥିଲେ। ଅନୁଭବ ପୂର୍ବରୁ ଦାଖଲ କରିଥିବା ଏକ ଆବେଦନର ଉତ୍ତର ଦେବା ପାଇଁ ବର୍ଷାଙ୍କୁ କୋର୍ଟ କୁହିଥିଲେ। ହେଲେ ଓକିଲଙ୍କ ଜରିଆରେ ଅଧିକ ସମୟ ପାଇଁ ପ୍ରାର୍ଥନା କରିଥିଲେ ବର୍ଷା।
ଅପରପକ୍ଷରେ ଏହି ମାମଲାରେ ଶୀଘ୍ର ଫଇସଲା ପାଇଁ କେନ୍ଦ୍ରାପଡା ସାଂସଦ ଓକିଲଙ୍କ ଜରିଆରେ ଏକ ମେମୋ ଦାଖଲ କରିଥିଲେ। ପୂର୍ବରୁ ମଧ୍ୟ କୋର୍ଟ ଏହି ମାମଲାର ଶୁଣାଣି କରିସାରିଛନ୍ତି।
ଉଲ୍ଲେଖଯୋଗ୍ୟ, ପାରିବାରିକ ବିବାଦ ସାମ୍ନାକୁ ଆସିବା ପରେ ବର୍ଷା ଅନୁଭବଙ୍କ ଘରେ ରହୁଥିଲେ। ହେଲେ ବର୍ଷା ଏବେ ତାଙ୍କ ଶାଶୂ ଘର ଛାଡି ଅନ୍ୟତ୍ର ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ତେଣୁ ସେ ଶାଶୂ ଘର ଛାଡୁଛନ୍ତି ବୋଲି କୋର୍ଟକୁ ଅବଗତ କରାଇଛନ୍ତି।
ଯେହେତୁ ବର୍ଷା ଭଡା ନେଇ ଅନ୍ୟତ୍ର ରହିବେ ତେଣୁ ଏସଡିଜିଏମ କୋର୍ଟ ସାଂସଦଙ୍କୁ ଆର୍ଥିକ ସହଯୋଗ କରିବାକୁ କହିଛନ୍ତି। ଏଥିପାଇଁ ସାଂସଦ ପ୍ରତି ମାସର ୧୦ ତାରିଖ କିମ୍ବା ପୂର୍ବରୁ ୩୦ ହଜାର ଟଙ୍କା ଦେବେ।
ସୂଚନାଯୋଗ୍ୟ, ଅନୁଭବ ମହାନ୍ତି ୨୦୨୦ ମସିହାରେ ନୂଆଦିଲ୍ଲୀର ପଟିଆଲା ହାଉସରେ ଥିବା ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୨୧ ମାର୍ଚ୍ଚରେ ଏହାକୁ କଟକସ୍ଥିତ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରାଯାଇଛି।
Comments are closed.