Latest Odisha News

ସିଏଏ ହିଂସାକାଣ୍ଡ ଲାଗି ବିରୋଧୀଦଳକୁ ଦାୟୀ କଲେ ଅମିତ ଶାହ

ଭୁବନେଶ୍ୱର: ଗୁଜରାଟ ପରେ ଓଡ଼ିଶା ମୋ ଲାଗି ଦ୍ୱିତୀୟ ଘର ଭଳି, ଏହା କହିଛନ୍ତି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ଆଜି ନାଗରିକତା ସଂଶୋଧନ ଆଇନ (ସିଏଏ) ସପକ୍ଷରେ ଜନମତ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଅନୁଷ୍ଠିତ ଏକ ଜନସଭାରେ ସମ୍ବୋଧିତ କରିଛନ୍ତି । ରାଜଧାନୀର ଜନତା ମଇଦାନରେ ଅନୁ୍‌ଷ୍ଠିତ ଏହି ବିଶାଳ ସଭାରେ ଉଦବୋଧନ ଦେଇ ଅମିତ ଶାହ କହିଛନ୍ତି, ସିଏଏ ହେଉଛି କାହାରି ନାଗରିକତା କ୍ଷୁର୍ଣ୍ଣ କରିବାର ଆଇନ ନୁହେଁ, ବରଂ ଏହା ହେଉଛି ଦେଶବାସୀଙ୍କୁ ନାଗରିକତା ଦେବାର ଆଇନ ।

ଶ୍ରୀ ଶାହ ଆହୁରିମଧ୍ୟ କହିଛନ୍ତି ଯେ, ଏହି ଆଇନ ଦ୍ୱାରା ଦେଶର କୌଣସି ନାଗରିକ ସେମାନଙ୍କର ନାଗରିକତା ହରାଇବେ ନାହିଁ । ଆମ ଦେଶର କୌଣସି ମୁସଲମାନ ବା କୌଣସି ସଂଖ୍ୟାଲଘୁ ବ୍ୟକ୍ତି ବିଶେଷ ସେମାନଙ୍କର ନାଗରିକତା ହରାଇବେ ନାହିଁ । ମୁଁ ଏହା ଦୃଢତାର ସହିତ ଦେଶବାସୀଙ୍କୁ କହୁଛି । ଏହା କହିଛନ୍ତି ଅମିତ ଶାହ ।

ଏହି ଜନସଭାରେ ସିଏଏ ସମ୍ପର୍କରେ କହିବାକୁ ଯାଇ କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିଛନ୍ତି ଅମିତ । ଆଜି ସାରା ଦେଶରେ ସିଏଏକୁ ନେଇ ଯେଉଁ ବହ୍ନି ଜଳୁଛି ଏହା ପଛରେ କିଛି ଦୁଷ୍ଟ ପ୍ରକୃତିର ବ୍ୟକ୍ତିମାନେ ହିଁ ଦାୟୀ । କଂଗ୍ରେସ ଦଳର ଅନେକ ନେତା ପୂର୍ବରୁ ଏହି ଆଇନ ଲାଗି ପ୍ରତିଶ୍ରୁତି ଦେଇଥିଳେ ମଧ୍ୟ ସେମାନେ ପାଳନ କରିପାରିନାହାନ୍ତି ।

ବିଗତ ୭୦ ବର୍ଷ ଧରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡ଼ିକ ସେମିତି ପଡ଼ିରହିଥିଲା । ତାହାର ସମାଧାନ ହେଉନଥିଲା । ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବାପରେ ଅନେକ ସମସ୍ୟାର ସମାଧାନ ହୋଇପାରିଛି । ଏବେ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇପାରିଛି । ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଏହାସବୁ ସମ୍ଭବ ହୋଇପାରିଛି । ସେହିପରି ଭାବେ ରାମମନ୍ଦିର ପ୍ରସଙ୍ଗକୁ କଂଗ୍ରେସ ଦଳ ଝୁଲାଇ ରଖି ସମସ୍ୟାର ସମାଧାନ ଚାହୁଁନଥିଲା । ମାତ୍ର ପ୍ରଧାନମନ୍ତ୍ରୀ ମୋଦୀ ଭଗବାନ ରାମଚନ୍ଦ୍ରଙ୍କ ଜନ୍ମଭୂମି ଟ୍ରଷ୍ଟ ସ୍ଥାପନ କରି ସମାଧାନର ସୂତ୍ର ବାହାର କରିଥିଲେ । ଆଜି ଦେଶର ଅନେକ ପୁରୁଣା ସମସ୍ୟାର ସମାଧାନ ହୋଇପାରିଛି ।

ଗୁଜରାଟ ପରେ ଓଡ଼ିଶା ମୋତେ ମୋର ଘର ପରି ଲାଗୁଛି ବୋଲି ସେ କହିଛନ୍ତି ।

ଆଜିର ଏହି ଜନସଭାରେ ଉଦବୋଧନ ଦେବା ପୂର୍ବରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହଙ୍କ ଅଧ୍ୟକ୍ଷତାରେ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାକୁ ନେଇ ଗଠିତ ପୂର୍ବାଞ୍ଚଳ ପରିଷଦର ୨୪ତମ ବୈଠକରେ ଯୋଗଦେଇଥିଲେ । ଏହି ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଯୋଗଦାନ କରିଥିଲେ । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅନୁପସ୍ଥିତିରେ ସେହି ରାଜ୍ୟର ଅର୍ଥମନ୍ତ୍ରୀ ଏହି ବୈଠକରେ ଯୋଗଦେଇଥିଲେ ।

Leave A Reply

Your email address will not be published.