ଭୁବନେଶ୍ୱର: ରାଜ୍ୟରେ ବେହାଲ କରିଛି ଲଗାଣ ବର୍ଷା। ଲଗାଣ ବର୍ଷା ଯୋଗୁଁ ବନ୍ୟା ସୃଷ୍ଟି ହୋଇଛି। ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ପାଣି ଖସିଛି। ତଥାପି ୨୧ ଗାଁ ଏବେ ବି ପାଣି ଘେରରେ। ବନ୍ୟା ବିତ୍ପାତରେ ରାଜ୍ୟର ପ୍ରାୟ ୭ଲକ୍ଷ ଲୋକ ପ୍ରଭାବିତ। ଜନଜୀବନ ଅସ୍ତବ୍ୟସ୍ତ। ରାଜ୍ୟରେ ବନ୍ୟାସ୍ଥିତିକୁ ନେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ବଡ଼ ସୂଚନା । ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ୨୦ ଜିଲ୍ଲାର ୭ ଲକ୍ଷରୁ ଅଧିକ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି।
୧ ଲକ୍ଷ ୯୦ ହଜାର ଲୋକ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ପ୍ରାଥମିକ ଆକଳନରେ, ୧୩୫୩ ଘର କ୍ଷତିଗ୍ରସ୍ତ ହୋଇଛି । ଆଗକୁ ଏ ସଂଖ୍ୟା ଆହୁରି ବଢ଼ିବ । ବୁଧବାର ସୁଦ୍ଧା ୩ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସରକାର ତଥ୍ୟ ରଖିଥିଲେ । ଗୁରୁବାର ମୃତ୍ୟୁ ସଂଖ୍ୟା ୬କୁ ବଢ଼ିଥିବା ତାଜା ତଥ୍ୟ ଦେଇଛନ୍ତି । ସରକାରୀ ରିପୋର୍ଟ ଅନୁସାରେ, ୨୦ ଜିଲ୍ଲାର ମୋଟ ୧୦୦ ବ୍ଲକରେ ବନ୍ୟା ବ୍ୟାପକ କ୍ଷତି କରିଛି । ୫୩୯ ପଞ୍ଚାୟତର ୧୪୫୮ଟି ଗାଁ ପ୍ରଭାବିତ ହୋଇଛି । ୧୪ଟି ସହରାଞ୍ଚଳ ମଧ୍ୟ ବନ୍ୟା ଦାଉରେ କ୍ଷତି ସହିଛି । ରାଜ୍ୟର ମୋଟ ୭ଲକ୍ଷ ୫ହଜାର ୨୩୨ଜଣ ପ୍ରଭାବିତ ହୋଇଛନ୍ତି । ୧୩୧୦ଟି ଗୃହପାଳିତ ପଶୁଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୨୪ହଜାର ୮୯୬ ହେକ୍ଟର ଚାଷ ଜମି ପାଣିରେ ବୁଡ଼ିଛି।
କ୍ଷୟକ୍ଷତି ଆକଳନ ପାଇଁ ଆସନ୍ତାକାଲି ହେବ ଗୁରୁତ୍ୱପୂର୍ଣ ବୈଠକ। ୨୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସ୍ୱତନ୍ତ୍ର ବୈଠକ ହେବ। ବନ୍ୟା ଛାଡ଼ିବା ପରେ ୭୨ ଘଣ୍ଟା ଭିତରେ କ୍ଷୟକ୍ଷତି ରିପୋର୍ଟ ଦେବେ ଜିଲ୍ଲାପାଳ। ୩ ଦିନ ଭିତରେ ରିପୋର୍ଟ ପାଇବା ପରେ ଚତୁର୍ଥ ଦିନ ଲୋକଙ୍କ ପାଖକୁ ଯିବ କ୍ଷତି ପୂରଣ ଟଙ୍କା। ସେପଟେ ସୂଚନା ମିଳିଛି ଯେ, କଟକ ନରାଜ ମୁଣ୍ଡଳୀରେ ୮ ଲକ୍ଷ ୬୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ, ଏହା ୮ ଲକ୍ଷ ୭୩ ହଜାର କ୍ୟୁସେକକୁ ବଢ଼ିଛି। ଦୁଇ ଘଣ୍ଟା ଧରି ଜଳସ୍ତର ବଢ଼ିନାହିଁ। ମୁଣ୍ଡଳୀରେ ୧୨ ଲକ୍ଷ କ୍ୟୁସେକ ପାଣି ପ୍ରବାହ କ୍ଷମତା ରହିଛି।