Odisha Floods: ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ବଡ ସହାୟତା, ଓଡିଶା ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର
ଭୁବନେଶ୍ୱର/ନୂଆଦିଲ୍ଲୀ: ଲଗାଣ ବର୍ଷା ଓ ବନ୍ୟାରେ ପ୍ରଭାବିତ ରାଜ୍ୟଗୁଡ଼ିକ ପାଇଁ କେନ୍ଦ୍ର ସରକାର ବଡ଼ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଶନିବାର କେନ୍ଦ୍ର ସରକାର ୭ଟି ବନ୍ୟା ପ୍ରଭାବିତ ରାଜ୍ୟ ପାଇଁ ମୋଟ ୨,୧୧୭.୮୫ କୋଟି ଟଙ୍କାର ଅଗ୍ରୀମ ଆର୍ଥିକ ସହାୟତା ମଞ୍ଜୁର କରିଛନ୍ତି। ଏହି ରାଶି ଚଳିତ ମୌସୁମୀ ବନ୍ୟା ପରିସ୍ଥିତିରେ ଆବଶ୍ୟକ ରିଲିଫ୍, ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାରେ ବ୍ୟବହୃତ ହେବ।
ଏହି ପ୍ୟାକେଜ୍ରେ ଓଡ଼ିଶାକୁ ୫୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (State Disaster Response Fund-SDRF) ଅଧୀନରେ ଦ୍ୱିତୀୟ କିସ୍ତି ଭାବେ ଏହି ରାଶି ଜାରି କରାଯାଇଛି। ୭ ଟି ବନ୍ୟା ପ୍ରଭାବିତ ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(SDRF)ଙ୍କୁ ପ୍ରଥମ କିସ୍ତି କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯାଇଥିବା ବେଳେ ହିମାଚଳ ପ୍ରଦେଶ, ନାଗାଲ୍ୟାଣ୍ଡ ଓ ଓଡ଼ିଶାକୁ ଦ୍ୱିତୀୟ କିସ୍ତି ଅର୍ଥରାଶି ମଞ୍ଜୁର କରାଯାଇଛି।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଏଥିରେ ଓଡିଶାକୁ ୫୦୦ କୋଟି ଟଙ୍କା ମିଲିଥିବା ବେଳେ ଗୁଜରାଟକୁ ୫୦୦ କୋଟି ଟଙ୍କା, ମହାରାଷ୍ଟ୍ରକୁ ୫୦୦ କୋଟି ଟଙ୍କା, ଆସାମକୁ ୩୭୯.୩୫ କୋଟି ଟଙ୍କା, ହିମାଚଳ ପ୍ରଦେଶକୁ ୧୯୩.୯୫ କୋଟି ଟଙ୍କା ଏବଂ ଅରୁଣାଚଳ ପ୍ରଦେଶକୁ ୪୪.୫୫ କୋଟି ଟଙ୍କା ଏବଂ ନାଗାଲାଣ୍ଡ ଏସଡିଆରଏଫ୍ ଅଧୀନରେ ଦ୍ୱିତୀୟ କିସ୍ତି ମଞ୍ଜୁର (ରାଶି ସମ୍ପର୍କରେ ପୃଥକ ସୂଚନା ଜାରି ହେବ)।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଆରମ୍ଭ ହେବା ପରଠାରୁ ବନ୍ୟା ପରିସ୍ଥିତି ଉପରେ ଲଗାତାର ନଜର ରଖାଯାଉଛି। ରାଜ୍ୟ ସରକାରମାନଙ୍କ ସହ ସମନ୍ୱୟ ରଖି ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି। ଏଥିସହିତ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (NDRF)ର ଟିମ୍ଗୁଡ଼ିକୁ ପୂର୍ବରୁ ପ୍ରଭାବିତ ଅଞ୍ଚଳରେ ମୁତୟନ କରାଯାଇଛି, ଆବଶ୍ୟକ ସ୍ଥାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଲଜିଷ୍ଟିକ୍ ସହଯୋଗ ମଧ୍ୟ ଯୋଗାଇ ଦିଆଯାଉଛି ।
କ୍ଷୟକ୍ଷତି ଆକଳନ ପାଇଁ IMCT ଟିମ୍ । କେନ୍ଦ୍ର ସରକାର ଇଣ୍ଟର ମିନିଷ୍ଟ୍ରାଲ ସେଣ୍ଟ୍ରାଲ ଟିମ୍ (IMCT)କୁ ମଧ୍ୟ ପ୍ରଭାବିତ ରାଜ୍ୟକୁ ପଠାଇଛନ୍ତି। ଅରୁଣାଚଳ ପ୍ରଦେଶରେ ଗୋଟିଏ IMCT ଟିମ୍ କ୍ଷୟକ୍ଷତିର ଆକଳନ କରୁଛି। ଆସାମରେ ବନ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ଦୁଇଟି IMCT ଟିମ୍ ନିୟୋଜିତ କରାଯାଇଛି। ନାଗାଲାଣ୍ଡ ସରକାରଙ୍କ ଅନୁରୋଧ କ୍ରମେ ସେଠାକୁ ମଧ୍ୟ ଏକ IMCT ଟିମ୍ ପଠାଇବାକୁ ଅନୁମୋଦନ ମିଳିଛି।
ଏପଟେ ଲଗାଣ ବର୍ଷା ଓ ଲଘୁଚାପ ପ୍ରଭାବରେ ଓଡ଼ିଶାର ବନ୍ୟା ସ୍ଥିତି ଏବେ ବି ଚିନ୍ତାଜନକ ରହିଛି। ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ମହାନଦୀ ସମେତ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୂରଭଞ୍ଜ ସମେତ ଅନେକ ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି। ବିଭିନ୍ନ ନଦୀ ବିପଦ ସଙ୍କେତ ନିକଟରେ କିମ୍ବା ତା’ ଉପରେ ପ୍ରବାହିତ ହେଉଛି।
ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ବନ୍ୟା ଯୋଗୁଁ ୮ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ହଜାର ହଜାର ପରିବାର ଘର ଛାଡ଼ି ସୁରକ୍ଷିତ ସ୍ଥାନ ଓ ଆଶ୍ରୟସ୍ଥଳୀକୁ ଯାଇଛନ୍ତି। ବନ୍ୟା ଜଳରେ ଅନେକ ଗାଁ ବୁଡ଼ି ରହିଥିବା ବେଳେ ଘରବାଡ଼ି, ଚାଷଜମି, ରାସ୍ତା ଓ ଅନ୍ୟାନ୍ୟ ଭିତ୍ତିଭୂମିର ବ୍ୟାପକ କ୍ଷତି ହୋଇଛି। ଅନେକ ଚାଷୀଙ୍କ ଫସଲ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିବା ବେଳେ ଅନେକ ପରିବାର ଏବେ ବି ବନ୍ୟା ଜଳ ଘେରରେ ରହିଛନ୍ତି। ପ୍ରଶାସନ ପକ୍ଷରୁ ରିଲିଫ୍ ସାମଗ୍ରୀ, ରନ୍ଧା ଖାଦ୍ୟ, ପିଇବା ପାଣି, ଚିକିତ୍ସା ସେବା ଓ ପୁନର୍ବାସ କାର୍ଯ୍ୟ ଜାରି ରହିଛି।
କେନ୍ଦ୍ର ସରକାର କହିଛନ୍ତି, ମଞ୍ଜୁର ହୋଇଥିବା ଏହି ଆର୍ଥିକ ସହାୟତା ବନ୍ୟା ପ୍ରଭାବିତ ରାଜ୍ୟଗୁଡ଼ିକରେ ଚାଲିଥିବା ରିଲିଫ୍, ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବ ଏବଂ ପ୍ରଭାବିତ ଲୋକଙ୍କୁ ଶୀଘ୍ର ସହାୟତା ପହଞ୍ଚାଇବାରେ ସହାୟକ ହେବ।