Bomb-making document found:ମେଡିକାଲ୍ କଲେଜରେ ମିଳିଲା ବୋମା ତିଆରି ସମ୍ବନ୍ଧୀୟ ତଥ୍ୟ ଥିବା ଏକ କାଗଜ ଖଣ୍ଡ ;ଛାତ୍ର ଅଟକ
ନୂଆଦିଲ୍ଲୀ:ଅଯୋଧ୍ୟାର ଦର୍ଶନନଗର ସ୍ଥିତ ରାଜର୍ଷି ଦଶରଥ ମେଡିକାଲ୍ କଲେଜରେ ଜଣେ ଛାତ୍ରଙ୍କ ନିକଟରୁ ବୋମା ତିଆରି ସମ୍ବନ୍ଧୀୟ ତଥ୍ୟ ଥିବା ଏକ କାଗଜ ଖଣ୍ଡ ମିଳିବା ପରେ କଲେଜ କର୍ତ୍ତୃପକ୍ଷ ଓ ସୁରକ୍ଷା ଏଜେନ୍ସି ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। ଏନେଇ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା। ଏହା ପରେ, ତଦନ୍ତ ସମୟରେ ପୋଲିସ ସରଫରାଜ ଖାନ୍ ନାମକ ଜଣେ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ଉତ୍ତର ପ୍ରଦେଶର ବଲରାମପୁର ଅଞ୍ଚଳର ବାସିନ୍ଦା ସରଫରାଜ
ରାତ୍ରିକାଳୀନ ଡ୍ୟୁଟିରେ ଥିବା ଅନ୍ୟ କେତେକ ଛାତ୍ରଙ୍କୁ ମଧ୍ୟ ପଚରାଉଚରା ପାଇଁ ଅଟକ ରଖାଯାଇଛି। ଏହି ଘଟଣା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ କରାଯାଇଛି ଏବଂ ଏଟିଏସ୍ (ATS), ଏସଟିଏଫ୍ (STF), ଆଇବି (IB) ତଥା ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାଗୁଡ଼ିକ ପଚରାଉଚରା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଶୁକ୍ରବାର ରାତିରେ ଏକ୍ସ-ରେ ରୁମ ଡ୍ୟୁଟିରେ ଥିବା ପ୍ରଥମ ବର୍ଷର ଛାତ୍ର ସରଫରାଜ ଏହି କାଗଜକୁ ପ୍ରସ୍ତୁତ କରିଥିଲେ। ପୋଲିସ ପଚରାଉଚରା ପାଇଁ ହେପାଜତକୁ ନେଇଛି। ତାଙ୍କ ସହ ସେହି ସମୟରେ ଡ୍ୟୁଟିରେ ଥିବା ଅନ୍ୟ ଦୁଇଜଣଙ୍କୁ ମଧ୍ୟ ପୋଲିସ ଜେରା କରୁଛି।
ପୋଲିସ୍ ଅଧିକାରୀମାନେ କହିଛନ୍ତି ଯେ ଏହି ଘଟଣାର ତଦନ୍ତ ଚାଲିଛି ଏବଂ ଉପଲବ୍ଧ ତଥ୍ୟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ବର୍ତ୍ତମାନ ସମଗ୍ର ଘଟଣାକୁ ଗୁରୁତ୍ୱର ସହ ନିଆଯାଉଛି। କଲେଜ କର୍ତ୍ତୃପକ୍ଷ ମଧ୍ୟ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ସମ୍ଭବପର ସମସ୍ତ ସହଯୋଗ କରୁଛନ୍ତି।
ଏହି ଘଟଣା ସମ୍ପର୍କରେ ମେଡିକାଲ୍ କଲେଜର ସିଏମ୍ଏସ୍ (CMS) ଡାକ୍ତର ଅରବିନ୍ଦ ସିଂହ କହିଛନ୍ତି ଯେ, ଏହି ଅନୁଷ୍ଠାନରେ ୨୦୨୫ ବ୍ୟାଚ୍ର ଜଣେ ଏକ୍ସ-ରେ ଟେକ୍ନିସିଆନ୍ ଛାତ୍ର ଅଛନ୍ତି। ଆଜି ସକାଳେ ଯେତେବେଳେ କିଛି ଛାତ୍ର ଏକ୍ସ-ରେ ରୁମ୍ରେ ନିଜର ଡ୍ୟୁଟି ପାଇଁ ପହଞ୍ଚିଲେ, ସେତେବେଳେ ସେମାନେ ଏକ କାଗଜ ଖଣ୍ଡ ପାଇଲେ ଯେଉଁଥିରେ ବୋମା ସମ୍ବନ୍ଧୀୟ ସନ୍ଦେହଜନକ ବିଷୟବସ୍ତୁ ଲେଖାଯାଇଥିଲା। ସେମାନେ ଏ ବିଷୟରେ ନିଜ ସୁପରଭାଇଜରଙ୍କୁ ଜଣାଇଲେ, ଯିଏ ମୋତେ ସୂଚିତ କଲେ ଏବଂ ମୁଁ ତୁରନ୍ତ ପୋଲିସକୁ ଏହି ଘଟଣା ସମ୍ପର୍କରେ ଅବଗତ କରାଇଲି।
ତଦନ୍ତ ସମୟରେ ପୋଲିସ୍ ଜାଣିବାକୁ ପାଇଲା ଯେ ଶୁକ୍ରବାର ରାତିର ଡ୍ୟୁଟି ସମୟରେ ସରଫରାଜଙ୍କ ସହ ଅନ୍ୟ ଦୁଇଜଣ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ।
ପୋଲିସ୍ ଡାକ୍ତରଖାନା ପରିସରରୁ ଅଭିଷେକ ନାମକ ଜଣେ ଯୁବକଙ୍କୁ ଅଟକ ରଖିଥିବା ବେଳେ, ତୃତୀୟ ବ୍ୟକ୍ତି ସନ୍ତୋଷଙ୍କୁ ମଧ୍ୟ କ୍ରମାଗତ ଭାବେ ପଚରାଉଚରା କରାଯାଉଛି। ଏହି ଘଟଣାରେ ଉକ୍ତ ଦୁଇଜଣଙ୍କ ଭୂମିକା କ’ଣ ଥିଲା ଏବଂ ସମ୍ପୃକ୍ତ ଦସ୍ତାବିଜ ବିଷୟରେ ସେମାନଙ୍କୁ ପୂର୍ବରୁ କିଛି ଜଣାଥିଲା କି ନାହିଁ, ତାହା ଜାଣିବାକୁ ତଦନ୍ତକାରୀ ଅଧିକାରୀମାନେ ଉଦ୍ୟମ କରୁଛନ୍ତି।
ବର୍ତ୍ତମାନ ଅଯୋଧ୍ୟା ପୋଲିସ୍ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ଏହି ଘଟଣାର ପ୍ରତ୍ୟେକ ଦିଗକୁ ନେଇ ତଦନ୍ତ କରୁଛନ୍ତି। ପୋଲିସ୍ ଏହା ଜାଣିବାକୁ ଚେଷ୍ଟା କରୁଛି ଯେ, ଏହା କୌଣସି ଛାତ୍ରଙ୍କ ଦ୍ୱାରା ରଚିତ ଏକ ଗୁରୁତର ଷଡ଼ଯନ୍ତ୍ର, ନା ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ କିମ୍ବା କେବଳ ମଜାମଜାରେ ଏହି କାର୍ଯ୍ୟ କରାଯାଇଛି।