Financial literacy: ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ;ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ ଶିକ୍ଷକ-ଶିକ୍ଷୟିତ୍ରୀ
ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପିଏମ୍ଶ୍ରୀ ସ୍କୁଲ ଗୁଡିକରେ ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସାକ୍ଷରତା ଉପରେ ଶିକ୍ଷା ଦିଆଯିବ । ସେମାନେ ବିଭିନ୍ନ ଆର୍ଥିକ ଯୋଜନା ଉପରେ ଜ୍ଞାନ ଆହରଣ କରିବେ । ଏଥିପାଇଁ ଜାତୀୟ ଆର୍ଥିକ ଶିକ୍ଷା କେନ୍ଦ୍ର (ଏନ୍ସିଏଫ୍ଇ) ସହ ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ( ପିଏସଏସଏସ) ମଧ୍ୟରେ ଏକ ଚୁକ୍ତିନାମା ସୋମବାର ସ୍ୱାକ୍ଷରିତ ହୋଇଛି ।
ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ପ୍ରମୁଖ ଶାସନ ସଚିବ ଡା. ଏନ୍. ତିରୁମାଲା ନାୟକଙ୍କ ଉପସ୍ଥିତିରେ ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ପକ୍ଷରୁ ଏହାର ସଦସ୍ୟ ସଚିବ ତଥା ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକ ଅନନ୍ୟା ଦାସ ଓ ଏନସିଏଫ୍ଇ ପକ୍ଷରୁ ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଆଲୋକ ଚନ୍ଦ୍ର ଜେନା ଚୁକ୍ତିନାମାରେ ସ୍ବାକ୍ଷର କରିଛନ୍ତି । ଏହି ଚୁକ୍ତି ଅନୁସାରେ, ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ସହ ସମନ୍ୱୟ ରଖି ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ୭୩୬ଟି ବିଦ୍ୟାଳୟରେ ପ୍ରଚଳନ କରାଯିବ । ଏହି କାର୍ଯ୍ୟକ୍ରମର ବ୍ୟାପକ ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ପ୍ରଚାର କରିବା ସହ ସେମାନଙ୍କ ମଧ୍ୟରେ ଆର୍ଥିକ କାରବାର ପରିଚାଳନା ଦକ୍ଷତାର ବିକାଶ କରିବା ଯାହାଦ୍ବାରା ସେମାନଙ୍କର ଉଦ୍ୟୋଗିକ ଦକ୍ଷତା ବୃଦ୍ଧି ପାଇବ ।
ଏହି କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକସ୍ତରରୁ ଟଙ୍କା, ସଞ୍ଚୟ, ବଜେଟ୍ ପରିଚାଳନା, ବ୍ୟାଙ୍କିଂ, ନିବେଶ, ଟିକସ, ଅର୍ଥ କାରବାର ଓ ଆର୍ଥିକ ଦାୟିତ୍ୱବୋଧ ସମ୍ପର୍କିତ ଜ୍ଞାନ ଆହରଣ କରିବେ । ଏହା ତାଙ୍କୁ ଭବିଷ୍ୟତରେ ସଚେତନ ଓ ଦାୟିତ୍ୱଶୀଳ ନାଗରିକ ଭାବେ ଗଢ଼ି ତୋଳିବ। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟରେ ଲାଗୁ ହେବା ପୂର୍ବରୁ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଆର୍ଥିକ ସାକ୍ଷରତା ଉପରେ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯିବ । ଏହାଦ୍ବାରା ସେମାନେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଭାବରେ ଶିକ୍ଷା ଦାନ କରିପାରିବେ । ଏନସିଏଫ୍ଇ ଅଧୀନରେ ଚିହ୍ନଟ ବିଦ୍ୟାଳୟଗୁଡ଼ିକୁ “ମନି ସ୍ମାର୍ଟ ସ୍କୁଲ୍” ଭାବେ ପ୍ରମାଣିତ କରାଯିବାର ବ୍ୟବସ୍ଥା ରହିଛି ।
ଏହି ସହଯୋଗ ଓଡ଼ିଶା ସରକାରଙ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ଦକ୍ଷତାରେ ସଶକ୍ତ କରିବାରେ ଆଉ ଗୋଟିଏ ମାଇଲଖୁଣ୍ଟ । ଏହି ଚୁକ୍ତିନାମା ସ୍ବାକ୍ଷର କାର୍ଯ୍ୟକ୍ରମରେ ପିଏସଏସଏସର ମୁଖ୍ୟ ପରିଚାଳନା ଅଧିକାରୀ ରାଜ ଲକ୍ଷ୍ମୀ ଦାଶ ଉପସ୍ଥିତ ଥିଲେ ।