Latest Odisha News

BREAKING NEWS

ଶିଳ୍ପୋଦ୍ୟୋଗୀମାନଙ୍କୁ ଆକୃଷ୍ଟ କରିବା ପାଇଁ ଚୀନରେ ଓଡ଼ିଶା ସରକାରଙ୍କ ରୋଡ଼ ଶୋ’

ଭୁବନେଶ୍ୱର: ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଓ ଗୃହ ବିଭାଗୀୟ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶିଳ୍ପ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ଶିଳ୍ପୋଦ୍ୟୋଗୀମାନଙ୍କୁ ନେଇ ଓଡ଼ିଶା ସରକାରଙ୍କ ଏକ ପ୍ରତିନିଧି ଦଳ ଓଡ଼ିଶାରେ ପୁଞ୍ଜିନିବେଶର ଅଭିବୃଦ୍ଧି ଲକ୍ଷ୍ୟ ନେଇ ଚୀନ୍ର ଗ୍ୱାଙ୍ଗଝାଓ ଠାରେ ଏକ ରୋଡ଼୍ ଶୋ ର ଆୟୋଜନ କରିଛନ୍ତି ।

ଏହି ରୋଡ଼ ଶୋ ମାଧ୍ୟମରେ ଚୀନ୍ରେ ଡ଼ାଙ୍ଗୱାଂ ଠାରେ ପ୍ରତିଷ୍ଠିତ ନାଇନ୍ ଡ଼୍ରାଗନ ପେପର (ହୋଲଡ଼ିଂ) କମ୍ପାନୀ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଆୟୋଜିତ ରୋଡ଼୍ ଶୋରେ ଚୀନ୍ର ବହୁ ସଂଖ୍ୟକ ଶିଳ୍ପୋଦ୍ୟୋଗୀ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷୀରେ ଶିଳ୍ପ ମନ୍ତ୍ରୀ କ୍ୟାପ୍ଟେନ ମିଶ୍ର କହିଥିଲେ ଯେ ଭାରତ ଏବଂ ଚୀନ୍ର ସମ୍ପର୍କ ବହୁ ପୁରାତନ ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ରାଜ୍ୟରେ ବହୁ ପ୍ରଗତି ଘଟିଛି ଏବଂ ବର୍ତ୍ତମାନ ଉନ୍ନତ ଭିତିଭୂମି ଏବଂ ଦକ୍ଷ ମାନବ ସମ୍ବଳ ମାଧ୍ୟମରେ ଓଡ଼ିଶାରେ ବ୍ୟାପକ ଶିଳ୍ପ ପ୍ରତିଷ୍ଠା ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି । ଶିଳ୍ପ ମନ୍ତ୍ରୀ ଚୀନର ଶିଳ୍ପୋଦ୍ୟୋଗୀମାନଙ୍କୁ ଓଡ଼ିଶାକୁ ନିମନ୍ତ୍ରଣ କରିବା ସହ ଶିଳ୍ପ ପ୍ରତିଷ୍ଠା ଦିଗରେ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଛନ୍ତି ।

ଇପିକଲର ପରିଚାଳନା ନିର୍ଦ୍ଦେଶକ ତଥା ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ନୀତିନ୍ ଜୱାଲେ ଓଡ଼ିଶାରେ ପୁଞ୍ଜିନିବେଶ ଦିଗରେ ଅନୁକୂଳ ବାତାବରଣ ସହ ପର୍ଯ୍ୟାପ୍ତ ସୁଯୋଗ ମହଜୁଦ୍ ରହିଥିବା କଥା ମଧ୍ୟ ପ୍ରକାଶ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଆୟୋଜିତ ବୈଠକରେ ଚୀନର ଶିଳ୍ପୋଦ୍ୟୋଗୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେମାନଙ୍କର ସନ୍ଦେହ ଦୂର କରିଥିଲେ ଶିଳ୍ପ ମନ୍ତ୍ରୀ ।

Leave A Reply

Your email address will not be published.