ଭୁବନେଶ୍ୱର: ଚଳିତ ବର୍ଷ ୯୩ ଲକ୍ଷ ମେଟ୍ରିକ ଟନ ଧାନ କିଣିବେ ରାଜ୍ୟ ସରକାର। ବକେୟା ଥିଲେ ଧାନକିଣାରୁ ବାଦ୍ ପଡ଼ିବେ ମିଲର। ଏହାଠାରୁ ଅଧିକ ଧାନ ମଣ୍ଡିକୁ ଧାନ ଆସିଲେ ବି ପଞ୍ଜିକୃତ ଚାଷୀଙ୍କଠାରୁ କିଣାଯିବ। ନଭେମ୍ବରରୁ ମାର୍ଚ୍ଚ ଯାଏ ଖରିଫ ଧାନ ସଂଗ୍ରହ ହେବ। ଖରିଫରେ ୭୩ ଲକ୍ଷ ମେଟ୍ରିକ ଟନ ଧାନ କିଣିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସେହିପରି ମେ’ରୁ ରବି ଧାନ ସଂଗ୍ରହ ଆରମ୍ଭ ହେବ।
ରବି ଋତୁରେ ୨୦ ଲକ୍ଷ ମେଟ୍ରିକ ଟନ ଧାନ କିଣାଯିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଧାନ ସଂଗ୍ରହ ପାଇଁ ନୀତି ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏକ କ୍ୟାବିନେଟ ଉପକମିଟି/ଆନ୍ତଃ ମନ୍ତ୍ରିସ୍ତରୀୟ କମଟି ସଂଗ୍ରହଣ ନୀତିର କାର୍ଯ୍ୟାନ୍ବୟନ କରିବେ । ଆବଶ୍ୟକ ପଡ଼ିଲେ ସାମଗ୍ରିକ ଧାର୍ଯ୍ୟ ଲକ୍ଷ୍ୟ ସଂଶୋଧନ ହେବ । ସେହିପରି ସରକାରଙ୍କୁ ଧାନ ବିକ୍ରି ପାଇଁ ଚାଷୀଙ୍କ ଏକମାତ୍ର ପରିଚୟପତ୍ର ହେବ ଆଧାର ।
ପଞ୍ଜିକୃତ ଚାଷୀଙ୍କୁ ଆଗୁଆ ଧାନ ସଂଗ୍ରହ, ଧାନର ପରିମାଣ ନେଇ ଏସଏମଏସ ମାଧ୍ୟମରେ ଜଣାଇ ଦିଆଯିବ । ସାଧାରଣ ଧାନ କୁଇଣ୍ଚାଲ ପିଛା ଏମଏସପି ୨,୩୬୯ ଟଙ୍କା ଓ ଗ୍ରେଡ-A ଧାନ ପାଇଁ କୁଇଣ୍ଟାଲ ପିଛା ୨୩୮୯ ଟଙ୍କା ଧାର୍ଯ୍ୟ କରାଯାଇଛି । ଯଦି କୌଣସି ମିଲରଙ୍କ ବକେୟା ଦେୟ ଥାଏ ତେବେ ତାଙ୍କୁ ଆଗାମୀ ଧାନ କିଣା ପ୍ରକ୍ରିୟାରେ ସାମିଲ କରାଯିବନାହିଁ ବୋଲି ନିଷ୍ପତ୍ତି ହୋଇଛି ।
Comments are closed.