Latest Odisha News

ଓଡ଼ିଶା ସରକାରଙ୍କ ସତ୍ୟପାଠ: ବଜେଟରେ ପାଣ୍ଠି ବରାଦ ହୋଇଛି, ୩ ଦିନରେ କ୍ଲିଅର ହେବ ୪୪ଟି ପେଣ୍ଡିଂ ବିଲ

ନୂଆଦିଲ୍ଲୀ: ଦ୍ବିତୀୟ ଜାତୀୟ ନ୍ୟାୟିକ ବେତନ ଆୟୋଗ ସୁପାରିସକୁ ଓଡ଼ିଶା ସରକାର କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସରକାର ବଜେଟରେ ପାଣ୍ଠି ବରାଦ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ସତ୍ୟପାଠ ଦାଖନ ପରେ ସୁପ୍ରିମକୋର୍ଟ ଏହି ମାମଲାକୁ ମଙ୍ଗଳବାର ବନ୍ଦ କରି ଦେଇଛନ୍ତି। ସୁପ୍ରିମକୋର୍ଟରେ ଓଡ଼ିଶାର ମୁଖ୍ୟସଚିବ ଓ ଅର୍ଥ ସଚିବ ବ୍ୟକ୍ତିଗତ ହାଜର ହେଲା ପରେ କହିଲେ ୩ ଦିନରେ ୪୪ଟି ପେଣ୍ଡିଂ ବିଲ କ୍ଲିଅର ହେବ।

ଓଡ଼ିଶା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ଅର୍ଥ ସଚିବ ଶାଶ୍ୱତ ମିଶ୍ର ଗତକାଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ତିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠରେ ବ୍ୟକ୍ତିଗତ ହାଜର ହୋଇଥିଲେ।

ନ୍ୟାୟିକ ଅଧିକାରୀମାନଙ୍କୁ ବକେୟା ପେନ୍‌ସନ ଏବଂ ଅବସରକାଳୀନ ସୁବିଧା ଯୋଗାଇଦେବା ପାଇଁ ଦ୍ୱିତୀୟ ନ୍ୟାଶନାଲ ଜୁଡିସିଆଲ ପେ’ କମିଶନ (ଏସ୍‌ଏନ୍‌ଜେପିସି)ଙ୍କ ସୁପାରିସ୍‌କୁ ୧୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କାର୍ଯ୍ୟକାରୀ କରିନଥିଲେ। ଉକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ମଙ୍ଗଳବାର ସୁପ୍ରିମକୋର୍ଟରେ ହାଜର ହେବା ଲାଗି ସମନ୍‌ ଜାରି ହୋଇଥିଲା। ଓଡ଼ିଶା ସମେତ ତାମିଲନାଡୁ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼, ଦିଲ୍ଲୀ, ଆସାମ, ନାଗାଲାଣ୍ଡ, ମେଘାଳୟ, ହିମାଚଳପ୍ରଦେଶ, ଜମ୍ମୁ-କଶ୍ମୀର, ଲଦାଖ, ଝାଡ଼ଖଣ୍ଡ, କେରଳ, ବିହାର, ଗୋଆ ଏବଂ ହରିୟାଣାର ମୁଖ୍ୟ ସଚିବମାନେ ୨୭ ତାରିଖରେ ସର୍ବୋଚ୍ଚ ଅଦାଲତରେ ହାଜର ହୋଇଥିଲେ।

ମାମଲାରେ ଓଡିଶା ସରକାରଙ୍କ ପକ୍ଷରୁ ନିୟୋଜିତ ଆଇନଜୀବୀଙ୍କ ଦ୍ୱାରା ଚଳିତ ମାସ ୨୩ ତାରିଖରେ ଦାଖଲ କରାଯାଇଥିବା ଅତିରିକ୍ତ ସତ୍ୟପାଠରେ ସୂଚନା ଦିଆଯାଇଥିଲା ଯେ ପେନସନ ବକେୟା ବାବଦରେ ୪୪ ଟି ପେଣ୍ଡିଂ ରହିଛି। ବକେୟା ଅର୍ଥରାଶିର ସମ୍ପୂର୍ଣ୍ଣ ଅନୁପାଳନ ସତ୍ୟପାଠକୁ ସୁପ୍ରିମକୋର୍ଟ ରୋକର୍ଡକୁ ନେବା ସହିତ କାର୍ଯ୍ୟାନୁଷ୍ଠାନ ବନ୍ଦ ଆଦେଶ ଦେଇଥିଲେ। ସୂଚନାଯୋଗ୍ୟ, ଜୁଲାଇ ୧୧ରେ ସୁପ୍ରିମକୋର୍ଟ ୨୩ଟି ରାଜ୍ୟର ମୁଖ୍ୟ ସଚିବଙ୍କୁ ଅଗଷ୍ଟ ୨୩ରେ ହାଜର ହେବା ପାଇଁ ସମନ୍‌ ଜାରି କରିଥିଲେ। ତେବେ ସେଥିରୁ ୫ଟି ରାଜ୍ୟ ଏସ୍‌ଏନ୍‌ଜେପିସିଙ୍କ ସୁପାରିସ୍‌କୁ କାର୍ଯ୍ୟକାରୀ କରିଥିବା ଆମିକସ୍‌ କ୍ୟୁରି ଜଣାଇବା ପରେ ଅବଶିଷ୍ଟ ୧୮ ରାଜ୍ୟର ମୁଖ୍ୟ ସଚିବଙ୍କୁ ସମନ୍‌ ଜାରି ହୋଇଥିଲା।

Comments are closed.