Latest Odisha News

BREAKING NEWS

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଅନଗ୍ରସରଙ୍କୁ ମିଳିବ ମାସିକ ୧୦ହଜାର ଟଙ୍କା, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର: ଏଣିକ ପଦ୍ମଶ୍ରୀ ପୁରସ୍କାର ପାଇଥିବା ଅନଗ୍ରସର ବ୍ୟକ୍ତିମାନଙ୍କୁ ମାସିକ ୧୦ ହଜାର ଟଙ୍କାର ପ୍ରଦାନ କରାଯିବ। ସଂସ୍କୃତି ବିଭାଗ ତରଫରୁ ଆସିଥିବା ସୁପାରିଶକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।

ନିକଟରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନେ ଦୟନୀୟ ଜୀବନ ବିତାଉଛନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ସେମାନଙ୍କ ମଧ୍ୟରେ ଜଳପୁରୁଷ ଦଇତାରି ନାୟକ,କମଳା ପୂଜାରୀ,ଜିତେନ୍ଦ୍ରୀୟ ହରିପାଲ ପ୍ରମୁଖ ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ପାଇଥିଲେ ମଧ୍ୟ ସେମାନଙ୍କ ଅବସ୍ଥା ଭଲ ନାହିଁ ବୋଲି କୁହାଯାଇଥିଲା।

ଏହିପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଏପରି ସମ୍ମାନ ହାସଲ କରିଥିଲେ ମଧ୍ୟ ସେମାନଙ୍କ ନିକଟରେ ବଞ୍ଚିବାର ସାମର୍ଥ୍ୟ ନାହିଁ। ଏହିପରି ଅଭିଯୋଗ ଆସିବା ପରେ ସଂସ୍କୃତି ବିଭାଗ ସେମାନଙ୍କୁ ସରକାରୀ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ସୁପାରିଶ କରିଥିଲେ।

ତାହାକୁ ଆଧାର କରି ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିଛନ୍ତି। ତେବେ ଏହିପରି ବିଶେଷ ବ୍ୟକ୍ତିଙ୍କୁ ବାଛିବା ପାଇଁ ଏକ ନିୟମ କରିବା ପାଇଁ ମୁଖ୍ୟମନ୍ତ୍ରୀ ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିୟମ ନିର୍ଦ୍ଧାରିତ ହେବା ପରେ ଏହି ଅବହେଳିତ ବ୍ୟକ୍ତି ବିଶେଷଙ୍କୁ ମାସିକ ସାହାଯ୍ୟ ପ୍ରଦାନ କରାଯିବ।

ସରକାରଙ୍କ ରିପୋର୍ଟ ଅନୁସାରେ ବର୍ତ୍ତମାନ ରାଜ୍ୟରେ ୮୪ ଜଣଙ୍କୁ ପଦ୍ମଶ୍ରୀ ଉପାଧୀରେ ଭୂଷିତ କରାଯାଇଛି। ସେମାନଙ୍କ ମଧ୍ୟରୁ ୪୫ ଜଣ ପରଲୋକ ଘଟିଯାଇଛି। ଆଉ ଯେଉଁମାନେ ରହିଲେ ସେମାନଙ୍କ ଆର୍ଥିକ ଅବସ୍ଥା ଅନୁଧ୍ୟାନ କରି ଏହି ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ନିଷ୍ପତି ନିଆଯାଇଛି।

Leave A Reply

Your email address will not be published.