Latest Odisha News

BREAKING NEWS

ରାଜ୍ୟ ସରକାରଙ୍କ ବଡ ଘୋଷଣା: ସରୋଗାସୀରେ ମିଳିବ ପିତାମାତାଙ୍କୁ ଛୁଟି

ଭୁବନେଶ୍ବର: ଏଣିକି ସରୋଗାସୀରେ ବି ମିଳିବ ପିତୃତ୍ୱ ଓ ମାତୃତ୍ୱ ଛୁଟି । ଏମିତି କିଛି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଯଦି କୌଣସି ଦମ୍ପତି ସରୋଗାସୀରେ ନିଜର ସନ୍ତାନ କରିବାକୁ ଚାହୁଁଛନ୍ତି, ଏଣିକି ସେମାନେ ବି ସନ୍ତାନ ଜନ୍ମ ହେବା ପରେ ୧୫ ଦିନ ଛୁଟି ନେଇପାରିବେ । ଏନେଇ ଅର୍ଥ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

ସରୋଗାସୀରେ ପିତାମାତା ହେଉଥିବା ପୁରୁଷ ସରକାରୀ କର୍ମଚାରୀଙ୍କୁ ୧୫ ଦିନର ପିତୃତ୍ୱ ଛୁଟି ମିଳିବ । ସନ୍ତାନ ଜନ୍ମ ହେବାର ୬ ମାସ ମଧ୍ୟରେ ୧୫ ଦିନ ପିତୃତ୍ୱ ଛୁଟି ନେଇ ପାରିବେ । ସେହିପରି ସରୋଗେଟ୍‌ ମା’ ବି ଯଦି ସରକାରୀ କର୍ମଚାରୀ ହୋଇଥିବେ ତାହାଲେ ଏହି ସୁବିଧା ସେ ମଧ୍ୟ ପାଇବେ । ୨ଟି ଜୀବିତ ସନ୍ତାନ ଥାଇ ସରୋଗେଟ ମା’ ହେଲେ ୬ ମାସ ମାତୃତ୍ୱ ଛୁଟି ପାଇପାରିବେ । ଏଥିସହିତ ଯିଏ କମିଶନିଂ ମା’(ଯେଉଁ ମହିଳାଙ୍କ ଭ୍ରୁଣ ସରୋଗେସୀ ମହିଳାଙ୍କ ଗର୍ଭରେ ପ୍ରତିରୋପଣ କରାଯାଏ) ହୋଇଥିବେ, ତାଙ୍କୁ ମଧ୍ୟ ୬ମାସର ଛୁଟି ମିଳିବ । ତେବେ ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ସରୋଗେସୀ ଅଧିନିୟମ-୨୦୨୧ର ଧାରା ୪(ଖ)ରେ ପ୍ରଦତ୍ତ ସର୍ତ୍ତଗୁଡ଼ିକ ପୂରଣ କରିବା ଦରକାର ।

ତେବେ କେନ୍ଦ୍ର ସରକାର ସରୋଗାସୀ ନେଇ ପିତୃତ୍ବ ଓ ମାତୃତ୍ବ ଛୁଟି ଲାଗୁ କରିଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏହାର ଗୁରୁତ୍ବକୁ ଦେଖି ଓଡିଶାରେ ଲାଗୁ କରିଛନ୍ତି ।

Leave A Reply

Your email address will not be published.