Latest Odisha News

BREAKING NEWS

ପ୍ରକୃତିରୁ ସମୃଦ୍ଧ ଅର୍ଥନୀତି; ଖୋଲିବ ଏକାଧିକ ଇକୋ କଟେଜ

  • ପ୍ରଥମ ପର୍ଯ୍ୟାୟରେ ହୀରାକୁଦ, ବାଲିପୁଟ

ଭୁବନେଶ୍ଵର: ପର୍ଯ୍ୟଟନରେ ରହିଛି ପ୍ରଚୁର ସମ୍ଭାବନା। ପର୍ଯ୍ୟଟକ ଆସିବେ, ରାଜ୍ୟର ଅର୍ଥନୀତି ସମୃଦ୍ଧ ହେବ ଏବଂ ଅଣୁସ୍ତରରେ ନିଯୁକ୍ତି ବଢ଼ିବ। ସେଥିପାଇଁ ରାଜ୍ୟ ସରକାର ବେଶ କିଛି ବର୍ଷ ହେଲା ପର୍ଯ୍ୟଟନ ଶିଳ୍ପରେ ସିଧାସଳଖ ପ୍ରବେଶ କରିଛନ୍ତି। ବିଭିନ୍ନ ସ୍ଥାନରେ ପ୍ରକୃତି ନିବାସ କରିବା ସହ ଗତ ୨ ବର୍ଷ ହେଲା ସଫଳତାର ସହ ଇକୋରିଟ୍ରିଟର ଆୟୋଜନ କରିଆସୁଛନ୍ତି। ଏବେ କିଛି ସ୍ଥାୟୀ ଇକୋରିଟ୍ରିଟ୍ ଭଳି ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ବିଭିନ୍ନ ବିଶ୍ଵସ୍ତ ଘରୋଇ ସଂସ୍ଥା ସହ ଚୁକ୍ତି କରି ଏକାଧିକ ସ୍ଥାନରେ ପ୍ରକୃତି ପର୍ଯ୍ୟଟନର ବିକାଶ କରିବେ। ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ସାତକୋଶିଆ ବାଲିପୁଟକୁ ବଛାଯାଇଛି। ପରେ ଅନ୍ୟ ଅଞ୍ଚଳକୁ ଏହା ବିସ୍ତାରିତ ହେବ। ଏହି ୨ଟି ସ୍ଥାନରେ ଇକୋ କଟେଜ ତିଆରି କରାଯିବ। ସ୍ଥାନୀୟ ଅଞ୍ଚଳର ବିକାଶ କରାଯିବ। ରାସ୍ତା, ପାଣି ଓ ବିଦ୍ୟୁତର ବ୍ୟବସ୍ଥା କରାଯିବ। ଲ୍ୟାଣ୍ଡସ୍କେପିଂ କରାଯିବ। ଘରୋଇ ସଂସ୍ଥା ଏହାର ବିକାଶ ସହ ରକ୍ଷଣାବେକ୍ଷଣର ଦାୟିତ୍ଵ ନେବେ। ରାଜ୍ୟ ସରକାର ଆବଶ୍ୟକ ଅନୁମତି ସହ ନିଜର ଅଂଶ ବାବଦକୁ  ପାଣ୍ଠି ଯୋଗାଇଦେବେ। ଗୋଟିଏ ସ୍ଥାନର ବିକାଶ ପାଇଁ ୬.୨୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ଗୁରୁବାର ଅନୁଷ୍ଠିତ ଏକ ବୈଠକରେ ଏଭଳି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ପରିବେଶ ଓ ବନ ବିଭାଗ ଏବଂ ଜଳସମ୍ପଦ ମନ୍ତ୍ରାଳୟକୁ ଅନ୍ୟ ସ୍ଥାନ ଚୟନ କରି ପ୍ରସ୍ତାବ ଦେବା ସହ ସେହି  ସରକାରୀ ଯାଗାକୁ ସୁରକ୍ଷିତ ରଖିବା ପାଇଁ ଏହି ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁସାରେ  ବାଲିପୁଟ ଓ ହୀରାକୁଦରେ ଏହି ପ୍ରକଳ୍ପ ଶେଷ ହେଲେ, ପାରାଦୀପ, ଦାରିଙ୍ଗବାଡି, ପତିସୋନପୁର ଓ କୋରାପୁଟରେ ମଧ୍ୟ ଏଭଳି ପ୍ରକଳ୍ପ କରାଯିବ।

Leave A Reply

Your email address will not be published.