Latest Odisha News

ହାତୀ ଜାଳିଦେଲା ଘର, ଅଳ୍ପକେ ବର୍ତ୍ତିଲେ ୪ଜଣ

ମୟୁରଭଂଜ: ହାତୀ ପାଇଁ ଧନଜୀବନ ନଷ୍ଟ ହୋଇଥିବା ଖବର ଆପଣ ପଢିଥିବେ କିମ୍ବା ଶୁଣିଥିବେ । ହେଲେ ହାତୀ ପାଇଁ ଅଗ୍ନିକାଣ୍ଡ ଘଟିଥିବା ଖବର ବୋଧ ହୁଏ କେବେ ଆପଣଙ୍କ ନଜରକୁ ଆସିଥିବ । ପଢି ଆଶ୍ଚର୍ଯ୍ୟ ଲାଗୁଥିବେ ବି ଏହା ସତ । ମୟୁରଭଂଜ ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ତାଜୁବ କଲାଭଳି ଘଟଣା ।

ଗତକାଲି ରାତିରେ ବେତନଟୀ ରେଂଜ ଅଧିନସ୍ଥ ବଡାମପୁର ବନପାଳ କ୍ଷେତ୍ରରେ ଝାଡଖଣ୍ଡରୁ ଆସିଥିବା ତିନୋଟି ଦନ୍ତା ହାତୀ ଆତଙ୍କ ଖେଳାଇଥିଲେ । ତେବେ ତିନି ହାତୀଙ୍କ ମଧ୍ୟରୁ ଗୋଟିଏ ଦନ୍ତା ହାତୀ ଖାଦ୍ୟ ଅନ୍ୱେଷଣରେ ଫାଲଝରୀ ଗାଁର ସୁରେନ୍ଦ୍ର ମୁର୍ମୁଙ୍କ ଘରେ ପଶିଯାଇଥିଲା । ସେହି ସମୟରେ ଖୋଦ ସୁରେନ୍ଦ୍ର, ତାଙ୍କ ପୁଅ, ବୋହୁ ଓ ନାତି ଘରେ ଶୋଇଥିଲେ ।

ଅନ୍ୟପଟେ ଘରେ କିଛି ନପାଇ ବାହାରେ ଚୁଲି ପାଖରେ ଥିବା ପାତ୍ରଗୁଡିକରେ ଖାଦ୍ୟ ହାତୀକୁ ଆକୃଷ୍ଟ କରିଥିଲା । ହେଲେ ଚୁଲିରେ ଥିବା ନିଆଁ ଝୁଲ ହାତୀ ପାଇଁ ବାଧା ସୃଷ୍ଟି କରିଥିଲା । ବୋଧ ହୁଏ ଚୁଲିରେ ଥିବା ନିଆଁକୁ ଲିଭାଇ ହାତୀଟି ଖାଇବାକୁ ଚେଷ୍ଟା କରିଥିଲା । ଏଥିପାଇଁ ଦନ୍ତା ହାତୀଟି ଚୁଲିରେ ଲଟାଝଟା ପକାଇଥିଲା । ହେଲେ ଚୁଲିରେ ନଡା ପକାଇବା ପରେ ହଠାତ୍ ନିଆଁ ଜୋର ଧରିଥିଲା । ଫଳରେ ଲିଭିବା ପରିବର୍ତ୍ତେ ନିଆଁ ଘରକୁ ମଧ୍ୟ ବ୍ୟାପିଯାଇଥିଲା । ଘଟଣାସ୍ଥଳରେ ନିଆଁ ଦେଖି ହାତୀ ପଳାଇଥିଲାବେଳେ ସଜାଗ ଥିବା ଗାଁ ଲୋକେ ସୁରେନ୍ଦ୍ରଙ୍କ ପରିବାରକୁ ଉଦ୍ଧାର କରିଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚିଥିଲେ ହେଁ ସୁରେନ୍ଦ୍ରଙ୍କ ଘର ଜଳିପୋଡି ଛାରଖାର ହୋଇସାରିଥିଲା ।

Leave A Reply

Your email address will not be published.