Latest Odisha News

BREAKING NEWS

ମଙ୍କିପକ୍ସ ମୁକାବିଲା ପାଇଁ ଓଡିଶା ପ୍ରସ୍ତୁତ, ସମସ୍ତ ପ୍ରବେଶ ପଥରେ ସତର୍କତା

ଭୁବନେଶ୍ୱର: ଓଡିଶାରେ ମଙ୍କିପକ୍ସ ରୋଗରେ ଅଦ୍ୟାବଧି କେହି ଜଣେ ବି ବ୍ୟକ୍ତି ସଂକ୍ରମିତ ହୋଇନାହାଁନ୍ତି। ମଙ୍କିପକ୍ସ ରୋଗକୁ ନେଇ ଓଡିଶାର ଜନସାଧାରଣ ଭୟଭୀତ ନହେବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି।

ଏହାସହ ମଙ୍କି ପକ୍ସ ସଂକ୍ରମିତ ୧୪ଟି ଦେଶକୁ ଆମ ରାଜ୍ୟରୁ ସିଧାସଳଖ କୌଣସି ବିମାନ ଚଳାଚଳ ବ୍ୟବସ୍ଥା ନଥିବା ସତ୍ତ୍ୱେ ଓଡିଶାର ଉଭୟ ବିମାନ ବନ୍ଦର, ବିଭିନ୍ନ ବନ୍ଦର କର୍ତ୍ତୃପକ୍ଷ ଓ ତତ୍ ସମ୍ପର୍କିତ ସମସ୍ତଙ୍କୁ ଭାରତ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ସଚେତନ ଓ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

ଏସଂପର୍କିତ ଏକ ବୈଠକ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକ ସେବା ଭବନ ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ଵତୀ ଏସ୍ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଆଭାସୀ ମାଧ୍ୟମରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, ଭୁବନେଶ୍ୱର ଏବଂ ଝାରସୁଗୁଡା ବିମାନ ବନ୍ଦରର ନିର୍ଦ୍ଦେଶକ, ବିମାନ ଚଳାଚଳ ନିର୍ଦ୍ଦେଶକ, ପାରାଦୀପ, ଗୋପାଳପୁର, ଧାମରା ବନ୍ଦର କର୍ତ୍ତୃପକ୍ଷମାନେ ମଧ୍ଯ ଉପସ୍ଥିତ ଥିଲେ। ଏମ୍ସ ଭୁବନେଶ୍ବରରେ ଲାବ ଟେଷ୍ଟିଙ୍ଗ ବ୍ୟବସ୍ଥା ହୋଇଥିବା ବେଳେ ବନ୍ଦର ଗୁଡିକରେ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି।

ତେବେ ଏହି ରୋଗକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜନ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆନ୍ତର୍ଜାତୀୟ ସ୍ତରରେ ଏକ ଜରୁରୀକାଳୀନ/ଚିନ୍ତାଜନକ ରୋଗ ବୋଲି ଘୋଷଣା କରିଥିବା ହେତୁ ଭାରତ ସରକାର ସମସ୍ତ ରାଜ୍ୟକୁ ଏ ସଂପର୍କରେ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମଙ୍କି ପକ୍ସ ପଶୁ ଠାରୁ ସଂକ୍ରମିତ ହେଉଥିବା ରୋଗ। ଏହା ପଶୁଠାରୁ ମଣିଷଙ୍କୁ ଏବଂ ମଣିଷ ଠାରୁ ମଣିଷକୁ ସଂକ୍ରମିତ ହୋଇଥାଏ।

Comments are closed.