Latest Odisha News

BREAKING NEWS

ଗ୍ରୀଷ୍ମ ପ୍ରବାହ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ବର: ଆଗାମୀ ଗ୍ରୀଷ୍ମ ପ୍ରବାହ ଓ କ୍ରମାଗତ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜନସାଧାରଣଙ୍କ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗଙ୍କ ନିର୍ଦ୍ଦେଶକ୍ରମେ ଗ୍ରୀଷ୍ମ ପ୍ରବାହ ସମୟରେ ଜନଜୀବନର ସୁରକ୍ଷା ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ (ଡିପିଏଚ୍) ଡା. ନୀଳକଣ୍ଠ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ତେବେ ଗ୍ରୀଷ୍ମ ପ୍ରବାହର ପ୍ରଭାବକୁ ହ୍ରାସ କରିବା ପାଇଁ ଈଂଟ୍ରାଭେନସ୍ ଫ୍ଲୁଇଡ୍, ଓରାଲ୍ ରିହାଇଡ୍ରେସନ୍ ସଲ୍ୟୁସନ୍ (ଓଆରଏସ୍), ଆବଶ୍ୟକୀୟ ଔଷଧ, ଏୟାର କୁଲର / ଶୀତତାପ ନିୟନ୍ତ୍ରିତ କକ୍ଷ ଏବଂ ସର୍ବୋପରି ପାୱାର ବ୍ୟାକଅପ୍ ସିଷ୍ଟମ୍ ଭଳି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାର ଉପଲବ୍ଧତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।

ଏହାବ୍ୟତୀତ ଗ୍ରୀଷ୍ମପ୍ରବାହର ଆକ୍ରାନ୍ତଙ୍କ ପାଇଁ ପର୍ଯ୍ୟାପ୍ତ ଶଯ୍ୟା ପ୍ରସ୍ତୁତ କରି ରଖିବା ସହ ଚିକିତ୍ସାର ସମସ୍ତ ସୁବିଧା ସୁନିଶ୍ଚିତ କରିବାକୁ ସମସ୍ତ ୩୦ଟି ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି ।

ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଗୁରୁତ୍ୱର ସହ ନେଇ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସମ୍ପ୍ରସାରିତ କରିଛି ବିଭାଗ। ଯାହା ଫଳରେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ ଗ୍ରୀଷ୍ମଜନିତ ସ୍ୱାସ୍ଥ୍ୟ ସମସ୍ୟାର ତ୍ୱରିତ ଏବଂ ପ୍ରଭାବଶାଳୀ ଚିକିତ୍ସା ଜନସାଧାରଣଙ୍କୁ ଦିଆଯାଇପାରିବ। ଅତ୍ୟଧିକ ଗରମ ପରିଲିକ୍ଷିତ ହେଉଥିବା ଅଞ୍ଚଳ ବିଶେଷ କରି ଖଣି ଖାଦାନ ଥିବା ଅଞ୍ଚଳର ଜନସାଧାରଣଙ୍କୁ ଅତିରିକ୍ତ ସମ୍ବଳ ଏବଂ ସୁରକ୍ଷା ଯୋଗାଇ ଦେଇ, ସେହି ସ୍ଥାନଗୁଡିକରେ ବିଶେଷ ଧ୍ୟାନ ଦେବାପାଇଁ ପରାମର୍ଶ ଦିଆଯାଇଛି। ଏହା ସହିତ ଗ୍ରୀଷ୍ମ ପ୍ରବାହ ସମୟର ସମ୍ବେଦନତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଜନସାଧାରଣଙ୍କୁ ବ୍ୟବହାରିକ ପରାମର୍ଶ ପ୍ରଦାନ କରିବା ପାଇଁ ସାରା ରାଜ୍ୟରେ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇ.ଇ.ସି) ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟ ପ୍ରଶାସନମାନଙ୍କୁ ନିର୍ଦେଶ ଦିଆଯାଇଛି।

ଆଗାମୀ ଗ୍ରୀଷ୍ମ ପ୍ରବାହର ଆହ୍ୱାନର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ। ସ୍ୱାସ୍ଥ୍ୟକର୍ମୀ, ଜିଲ୍ଲା ଅଧିକାରୀ ଏବଂ ଜନସାଧାରଣଙ୍କ ମିଳିତ ଉଦ୍ୟମରେ ଆମେ ଠିକ୍ ସମୟରେ ଚିକିତ୍ସା ସହାୟତା ଯୋଗାଇଦେବା, ସଚେତନତା ସୃଷ୍ଟି କରିବା ଏବଂ ଅତ୍ୟଧିକ ଗରମର ପ୍ରଭାବକୁ ହ୍ରାସ କରିବା ପାଇଁ ସମସ୍ତ ଆବଶ୍ୟକ ଭିତ୍ତିଭୂମି ଏବଂ ସମ୍ବଳ ଉପଲବ୍ଧ କରାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଡା. ମିଶ୍ର ଉଲ୍ଲେଖ କରିଛନ୍ତି ।

ଏହି ବୈଠକରେ ଉତ୍ତାପ ଜନିତ ରୋଗର ନୋଡାଲ ଅଫିସର ଡା. ବସନ୍ତ ପ୍ରଧାନ, ରାଜ୍ୟ ସର୍ଭିଲାନ୍ସ ଅଫିସର ଡା. ଅଶୋକ ପାଇକରାୟ, ଅତିରିକ୍ତ ନିର୍ଦ୍ଦେଶିକା ଡା. ଶେଫାଳୀ ମଲ୍ଲିକ, ଅତିରିକ୍ତ ନିର୍ଦ୍ଦେଶିକା ଡା. ପ୍ରତିଭା ପ୍ରଧାନଙ୍କ ସମେତ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।

Comments are closed.