Latest Odisha News

BREAKING NEWS

କ୍ଷେତ୍ରସ୍ତରୀୟ ତଦାରଖ ମାଧ୍ୟମରେ ରାଜପଥ ଏବଂ ରେଳବାଇ ପ୍ରକଳ୍ପ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବୃହତ ପୁଞ୍ଜି ନିବେଶ ପ୍ରକଳ୍ପ ଗୁଡିକ ତ୍ୱରାନ୍ୱିତ ହୋଇଛି । ସଡ଼କ ଓ ରେଳପଥ ଆଦି ଭିତ୍ତିଭୂମୀ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ଓ ଜବର ଦଖଲ ଉଚ୍ଛେଦ ଆଦି କ୍ଷେତ୍ରସ୍ତରୀୟ ସମସ୍ୟା ଗୁଡିକର ପ୍ରାୟତଃ ସମାଧାନ ହୋଇ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ହାସଲ ହୋଇଛି । ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପ୍ରକଳ୍ପ ପରିଚାଳନା କମିଟି ବୈଠକର ସମୀକ୍ଷାରୁ ଏହା ଜଣାପଡିଛି । ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ପରିଚାଳନା ସେଲ୍‌ ର ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ବିଭିନ୍ନ ପ୍ରକଳ୍ପ ବାବଦରେ କାର୍ଯ୍ୟାନ୍ୱୟନ ସଂସ୍ଥା ମାନେ ଆଗତ କରିଥିବା ସମସ୍ୟା ଗୁଡିକ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ।

ବୈଠକରେ ମୁଖ୍ୟତଃ ଅଧିଗୃହିତ ଜମିର ହସ୍ତାନ୍ତର, ପୁନଃ ଥଇଥାନ ସ୍ଥାନର ବିକାଶ ଏବଂ କଲୋନୀ ନିର୍ମାଣ, ଜଙ୍ଗଲ ଅନୁମତି, ପରିବେଶ ଅନୁମତି, କ୍ଷତିପୁରଣ ଅର୍ଥ ଆବଣ୍ଟନ, କ୍ଷତିପୁରକ ବନୀକରଣ, ଜବର ଦଖଲ ଉଚ୍ଛେଦ ଆଦି ବିଷୟରେ ଥିବା ସମସ୍ୟା ଆଲୋଚନା ହୋଇ ସେ ଗୁଡିକର ଆଶୁ ସମାଧାନ କରାଯାଇଥିଲା ।

ବୈଠକରେ ରେଳପଥ, ଜାତୀୟ ରାଜପଥ, ଖଣି ବିଦୁ୍ୟତ ଯୋଗାଣ, ମେଡିକାଲ୍‌ କଲେଜ ସ୍ଥାପନ ଆଦି ୨୪ଟି ପ୍ରକଳ୍ପର ସମୀକ୍ଷା ହୋଇଥିଲା । ରେଳପଥ ପ୍ରକଳ୍ପ ମଧ୍ୟରେ ପ୍ରାୟ ୩୫୫୦କୋଟି ଟଙ୍କାର ଖୋର୍ଦ୍ଧା-ବଲାଙ୍ଗିର ରେଳ ପଥ, ପ୍ରାୟ ୧୧୧୧ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ କରାଯାଇଥିବା ସମ୍ବଲପୁର-ବାମୁର(୮୫ କି.ମି) ରେଳ ଲାଇନ୍‌ର ଦୋହରୀକରଣ, ପ୍ରାୟ ୧୦୦୦ କୋଟି ଟଙ୍କା ବ୍ୟୟ ଅଟକଳର ହରିଦାସପୁର-ପାରଦ୍ୱୀପ ରେଳପଥ(୮୦ କି.ମି), ୮୧୧ କୋଟି ଟଙ୍କା ଅଟକଳରେ ନିର୍ମାଣ କରାଯାଉଥିବା ତାଳଚେର-ବିମଳାଗଡ ରେଳପଥ (୧୫୪ କି.ମି), ୬୩୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣଧିନ ଅନୁଗୁଳ-ସୁକିନ୍ଦା (୯୮.୭ କି.ମି) ରେଳପଥ ୨୫୦୦ କୋଟି ଟଙ୍କାର କୋଟ୍ଟଭାଲସା-କୋରାପୁଟ ରେଳପଥ, ୧,୧୭୩ କୋଟି ଟଙ୍କା ଅଟକଳର ବୁଢ଼ାପଙ୍କ-ସାଲେଗାଁ ୩ୟ ଏବଂ ୪ର୍ଥ ଲାଇନ୍‌, ୨୩୩୬ କୋଟି ଟଙ୍କା ଅଟକଳର ବିଜାନଗରମ୍‌-ସମ୍ବଲପୁର ୩ୟ ଲାଇନ୍‌ ପ୍ରକଳ୍ପ ଅନ୍ତର୍ଭୁକ୍ତ ।

ସଡ଼କ ପ୍ରକଳ୍ପ ମଧ୍ୟରେ ଏନ୍‌.ଏଜ୍‌-୫ର ଚଣ୍ଡିଖୋଲ-ଜଗତପୁର-ଭୁବନେଶ୍ୱର ସେକ୍‌ସନ୍‌ (୬୭ କି.ମି.) ର ୬ଷ୍ଠ ପ୍ରଶସ୍ତିକରଣ, ଚଣ୍ଠିଖୋଲ-ଡୁବୁରି-ତାଳଚେର ସେକ୍‌ସନ୍‌ର ପ୍ରଶସ୍ତିକରଣ, ବିରବିତ୍ରପୁର-ବାରକୋଟ, ରାଜପଥ ପ୍ରଶସ୍ତିକରଣ, ବିrବାହଲ-ତେଲେଇବଣି (ଏନ୍‌.ଏଚ୍‌.-୬) ର ପ୍ରଶସ୍ତିକରଣ,ସିଙ୍ଗରା-ବିrବାହଲ (ଏନ୍‌.ଏଚ୍‌-୬)ର ପ୍ରଶସ୍ତିକରଣ, ଅନୁଗୁଳ-ସମ୍ବଲପୁର ଟୋଲ୍‌ ରୋଡ୍‌ ପ୍ରକଳ୍ପ, ପାଣିକୋଇଲି-ରିମୁଳି ଏନ୍‌.ଏଚ୍‌.ର ପ୍ରଶସ୍ତିକରଣ, କଟକ-ଅନୁଗୁଳ ଟୋଲ୍‌ ରୋଡ୍‌ ପ୍ରକଳ୍ପ ଆଦି ଅନ୍ତର୍ଭୁକ୍ତ ।

ସେହିପରି ମହାନଦୀ କୋଇଲା କ୍ଷେତ୍ରର ଭୁବନେଶ୍ୱରୀ ଓପନ୍‌ କାଷ୍ଟ୍‌ ପ୍ରକଳ୍ପ, ବଳରାମ ଓ. ସି.ପି, ସିଆରମାଳ ଓ ସି.ପି. କଣିହା ଓ. ସି.ପି. ବେଲପାହାର ଓ.ସି.ପି., ଓ.ଜି.ପି.ଟି.ଏଲ୍‌ ର ଝାରସୁଗୁଡାରୁ କୋରାପୁଟ ଶକ୍ତି ବାହାକ ପ୍ରକଳ୍ପ, ଆଦିର ଅଗ୍ରଗତି ବିଷୟରେ ସମୀକ୍ଷା ହୋଇଥିଲା ।

ଯାଜପୁର ଜିଲ୍ଲା ମୁଖ୍ୟ ଚିକିସିାଳୟ ସଂଲଗ୍ନ ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଏଥିପାଇଁ ବିସ୍ତୃତ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ କେନ୍ଦ୍ର ସରକାରଙ୍କୁ ପଠାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶ୍ରୀ ପ୍ରମୋଦ କୁମାର ମେହେର୍ଦ୍ଦା ଜଣାଇଥିଲେ ।

ଉନ୍ନୟନ କମିଶନର ଶ୍ରୀ ଆର.ବାଲାକ୍ରିଷ୍ଣନ୍‌, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ସଂପୃକ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ଏବଂ ଶାସନ ସଚିବମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ଶାସନ ସଚିବ ଶ୍ରୀ ସୋମ ଦତ୍ତ ଶର୍ମା ବୈଠକରେ ଯୋଗ ଦେଇ ଆବଶ୍ୟକୀୟ ପରାମର୍ଶମାନ ଦେଇଥିଲେ ।

Leave A Reply

Your email address will not be published.