Latest Odisha News

BREAKING NEWS

ରାଜ୍ୟରେ ଏଚଏମପିଭି ସଂକ୍ରମଣ ନେଇ କୌଣସି ସୂଚନା ନାହିଁ: ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଖୋର୍ଦ୍ଧାରୁ ଜଣେ ଏଚଏମପିଭି ସଂକ୍ରମିତ ଚିହ୍ନଟ ହେବା ନେଇ ଖବରକୁ ଖଣ୍ଡନ କଲେ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ। ସୂଚନା ଅନୁସାରେ ଖୋର୍ଦ୍ଧା କାଇପଦର ଅଞ୍ଚଳରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ଖବର ଭାଇରାଲ ହେବା ପରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟରେ HMPV ସଂକ୍ରମଣ ନେଇ କୌଣସି ସୂଚନା ନାହିଁ। ତେଣୁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।

ଏବେ ସୁଦ୍ଧା ରାଜ୍ୟରୁ କେହି ଏଚଏମପିଭି ଭୂତାଣୁରେ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିନି। ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ଯେତିକି ନମୁନା ପରୀକ୍ଷା ପାଇଁ ଯାଇଛି ସେ ସବୁ ନେଗେଟିଭ ଆସିଛି। ସାଧାରଣ ଥଣ୍ଡା ଜ୍ବର ଭଳି ଏହାର ଲକ୍ଷଣ। ଏହି ସିଜିନରେ ସାଧାରଣ ଭାବେ ଥଣ୍ଡା ଜ୍ବର ହୁଏ। କିନ୍ତୁ ରୋଗୀ ସଂଖ୍ୟା ଏତେ ଅଧିକ ହୋଇନାହିଁ। ତେଣୁ ଭୟ କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ।

ଏଚଏମପିଭି ସଂକ୍ରମଣକୁ ନେଇ ରାଜ୍ୟ ସରକାର ସତର୍କ ଅଛନ୍ତି ଏଣୁ ସମୀକ୍ଷା ବୈଠକ ଡାକିଥିଲେ। ବୈଠକ ପରେ ସୂଚନା ଦିଆଯାଇଥିଲା ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହ୍ୟୁମାନ ମେଟାନ୍ୟୁମୋ ଭାଇରସକୁ ନେଇ ସଂପୂର୍ଣ୍ଣ ସଜାଗ ରହିଛନ୍ତି। ଓଡ଼ିଶାବାସୀ HMPV ଭୂତାଣୁ ନେଇ ବିଚଳିତ କିମ୍ବା ଆତଙ୍କିତ ହେବାର କିଛି କାରଣ ନାହିଁ। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଏଚଏମପିଭିର କୌଣସି ପ୍ରଭାବ ପରିଲକ୍ଷିତ ହୋଇନାହିଁ। କିନ୍ତୁ ଓଡ଼ିଶା ସରକାର ସମସ୍ତ ପରିସ୍ଥିତି ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

Leave A Reply

Your email address will not be published.