Latest Odisha News

BREAKING NEWS

ମୋଦିଙ୍କ ଗସ୍ତ…ଦାୟିତ୍ବରେ ମୃତ ଅଫିସର

ଭୁବନେଶ୍ବର: ମୋଦିଙ୍କ ଗସ୍ତ ପାଇଁ ମୃତ ଅଧିକାରୀଙ୍କୁ ଦାୟିତ୍ବ । ବର୍ଷକ ତଳେ ପ୍ରାଣ ହରାଇଥିବା ଅଫିସର କରିବେ ଭିଡ ନିୟନ୍ତ୍ରଣ! ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଏଭଳି ଖାମଖିଆଲ ମନୋଭାବ କାହିଁକି? ଆସନ୍ତା ୧୭ତାରିଖରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୁଭଦ୍ରା ଯୋଜନା ସହ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପରିଚାଳନା ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ୫୦ଜଣିଆ ଅଧିକାରୀଙ୍କ ସୂଚୀ ପ୍ରକାଶ ପାଇଛି । ଅଧିକାରୀଙ୍କୁ ଭିଡ ନିୟନ୍ତ୍ରଣ ସାଙ୍ଗକୁ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବାକୁ ଦାୟିତ୍ବ ଦିଆଯାଇଛି । ହେଲେ ବର୍ଷେ ତଳେ ପ୍ରାଣ ହରାଇଥିବା ଜଣେ ଅଧିକାରୀଙ୍କ ନାଁ ତାଲିକାରେ ରହିବା ପରେ ବିଜେପି ସରକାରଙ୍କୁ କାଠଗଡାକୁ ଟାଣିଛି ବିଜେଡି ।

ମୋଦିଙ୍କ ଗସ୍ତ ଦାୟିତ୍ବରେ ମୃତ ଅଧିକାରୀ

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ପାଇଁ ଦାୟିତ୍ବ ଦିଆଯାଇଥିବା ୫୦ଜଣିଆ ତାଲିକାର ୫୦ନମ୍ବର ସିରିଏଲରେ ପ୍ରବୋଧ କୁମାର ରାଉତଙ୍କ ନାଁ ଉଲ୍ଲେଖ କରାଯାଇଛି । ପ୍ରବୋଧଙ୍କୁ ଓକାକରେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଦର୍ଶାଇ ଭିଡ ନିୟନ୍ତ୍ରଣ ଦାୟିତ୍ବ ଦିଆଯାଇଛି। ତେବେ ସତ ହେଲା, ୨୦୨୩ ଜୁଲାଇ ୧୮ତାରିଖରେ କଟକରେ ଏକ ଦୁର୍ଘଟଣାର ଶିକାର ହେବା ପରେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରବୋଧଙ୍କ ମୃତ୍ୟୁ ହୋଇଥିଲା । ସବୁଠାରୁ ବଡ କଥା ହେଲା, ପ୍ରବୋଧ ଜଣେ ସରକାରୀ ଅଧିକାରୀଙ୍କ ସହ ଜଣେ ଜଣାଶୁଣା ସାହିତ୍ୟିକ ବି ଥିଲେ। ତାଙ୍କ ମୃତ୍ୟୁକୁ ବର୍ଷେ ପୂରିଥିବା ବେଳେ ଏବେବି ସେ ସରକାରୀ କାର୍ଯ୍ୟରେ ନିଯୁକ୍ତ ରହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଉଦାସୀନତା !

ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପରିଚାଳନା ଦାୟିତ୍ବରେ ଜଣେ ମୃତ ଅଧିକାରୀଙ୍କୁ ନିୟୋଜିତ କରିବା ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଖାମଖିଆଲି ମନୋଭାବକୁ ପଦାରେ ପକାଇଛି। ଏଥିସହ ସୁଭଦ୍ରା ଯୋଜନା ବିଜେପି ସରକାରର ଅନ୍ୟତମ ଫ୍ଲାଗସିପ ଯୋଜନା । କାରଣ ସୁଭଦ୍ରା ନାଁରେ ନିର୍ବାଚନ ବେଳେ ଭୋଟ୍ ମାଗିଥିଲେ, ପ୍ରଥମ କ୍ୟାବିନେଟରେ ମୋହର ବି ମାରିଥିଲେ । ସେହି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ମୋଦି । ହେଲେ ଏଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମର ବ୍ଲୁପ୍ରିଣ୍ଟ ପ୍ରସ୍ତୁତିରେ ହିଁ ଭୁଲ୍ ହୋଇଛି, ଯାହା ସରକାରଙ୍କୁ କେଉଁଠି ନା କେଉଁଠି ଲୋକହସା କରିଛି। ବର୍ଷେ ତଳେ ପ୍ରାଣ ହରାଇଥିବା ଜଣେ ଅଧିକାରୀଙ୍କୁ ନେଇ କେମିତି ଅଜଣା ରହିପାରିବ ଜିଏ ବିଭାଗ? ଖୋଦ୍ ରାଜଧାନୀରେ କାର୍ଯ୍ୟରତ ଅଧିକାରୀଙ୍କୁ ନେଇ ଯଦି ଖବର ନାହିଁ, ତେବେ ଉପାନ୍ତ ଅଞ୍ଚଳର ଅଧିକାରୀଙ୍କ କଥା କଣ ଜାଣିବେ ?

କାଠଗଡ଼ାକୁ ଟାଣିଲା ବିଜେଡି

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦାୟିତ୍ବ ଜଣେ ମୃତ ଅଧିକାରୀଙ୍କୁ ଦେବା ପ୍ରସଙ୍ଗରେ ବିଜେପି ସରକାରକୁ କାଠଗଡାକୁ ଟାଣିଛି ବିଜେଡି। ସୋସିଆଲ ମିଡିଆରେ ପୋଷ୍ଟ କରି ବିଜେପିକୁ ଜୋରଦାର ଟାର୍ଗେଟ୍ କରିଛନ୍ତି ବିଜେଡି ସାଂସଦ ସୁଲତା ଦେଓ। ଡବଲ ଇଞ୍ଜିନ ସରକାର ନାଁ ନେଇ କଡା ସମାଲୋଚନା କରିଛନ୍ତି । ଭଗବାନ ଭରସାରେ ଓଡିଶା ଶାସନ ଚାଲିଥିବା ପୋଷ୍ଟରେ ଲେଖିଛନ୍ତି ସୁଲତା। ତେବେ ଏନେଇ ରାଜ୍ୟ ସରକାର କିମ୍ବା ବିଜେପିର ପ୍ରତିକ୍ରିୟା ମିଳିପାରିନାହିଁ ।

Comments are closed.