ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଟପିଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୫ହଜାର ଡେଇଁଛି । ବଢ଼ୁଥିବା ସଂକ୍ରମଣକୁ ଦେଖି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଘରୋଇ ହସ୍ପିଟାଲଗୁଡ଼ିକୁ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଘରୋଇ ହସ୍ପିଟାଲଗୁଡ଼ିକରେ ଉପଲବ୍ଧ ଶଯ୍ୟାର ୫୦ ପ୍ରତିଶତ କୋଭିଡ୍ ଆକ୍ରାନ୍ତଙ୍କ ଲାଗି ରଖିବାକୁ କୁହାଯାଇଛି ।
ଏଥିସହ ଘରୋଇ ହସ୍ପିଟାଲରେ ଚିକିତ୍ସା ବେଳେ ଅନେକ କୋଭିଡ୍ ସଂକ୍ରମିତ ହେଉଛନ୍ତି । ଫଳରେ ସେମାନଙ୍କୁ ସରକାରୀ କୋଭିଡ୍ ହସ୍ପିଟାଲ ଆଣିବାକୁ ପଡ଼ୁଛି । ଅନେକ ସମୟରେ ବେଡ୍ ନଥିବା ଦର୍ଶାଇ କୋଭିଡ୍ ସଂକ୍ରମିତଙ୍କୁ ଘରୋଇ ହସ୍ପିଟାଲ ଚିକିତ୍ସା କରୁନାହାଁନ୍ତି । ଆଉ କିଛି ଘରୋଇ ହସ୍ପିଟାଲ କୋଭିଡ୍ ସଂକ୍ରମିତଙ୍କ ଲାଗି ଅଳ୍ପ କିଛି ବେଡ୍ ରଖିଛନ୍ତି । ଫଳରେ ସରକାରୀ କୋଭିଡ୍ ହସ୍ପିଟାଲ ଉପରେ ଲୋଡ୍ ବଢ଼ୁଛି ।
ଏସବୁକୁ ଦେଖି ଘରୋଇ ହସ୍ପିଟାଲରେ ସର୍ବନିମ୍ନ ୩୦ଟି ଶଯ୍ୟାରୁ ଅଧିକ ଥିଲେ ସେଥିରୁ ୫୦ ପ୍ରତିଶତ କୋଭିଡ୍ ରୋଗୀଙ୍କ ଲାଗି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହଭଳି ଉପଲବ୍ଧ ଆଇସିୟୁ/ଏଚଡିୟୁ ବେଡର ୫୦ ପ୍ରତିଶତ କୋଭିଡ୍ ସଂକ୍ରମିତଙ୍କ ଲାଗି ରଖିବାକୁ ଘରୋଇ ହସ୍ପିଟାଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ କୁହାଯାଇଛି । ଏପରିକି ସଂକ୍ରମଣ ବଢ଼ିଲେ ଶତପ୍ରତିଶତ ବେଡ୍ ବ୍ୟବହାର ପାଇଁ କୁହାଯାଇଛି ।
କୋଭିଡ୍ ଚିକିତ୍ସା ଲାଗି ବ୍ୟବହୃତ ଶଯ୍ୟା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କ ସହ ରାଜ୍ୟ ସ୍ତରୀୟ ଅଧିକାରୀଙ୍କୁ ଜଣାଇବେ । ଏଥିପାଇଁ ଘରୋଇ ହସ୍ପିଟାଲ ଜଣେ ସ୍ୱତନ୍ତ୍ର ମେଡିକାଲ ଅଫିସରଙ୍କୁ ନିୟୋଜିତ କରିବେ । ଏଥିସହ ଘରୋଇ ହସ୍ପିଟାଲରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ଲାଗି ବେଡ୍ ଦର ଧାର୍ଯ୍ୟ କରିଛି ସ୍ୱାସ୍ଥ୍ୟ ବିଭାଗ ।
ସାଧାରଣ ଶଯ୍ୟା ଲାଗି ଦିନକୁ ୧୨୦୦ ଟଙ୍କା, NABH ମାନ୍ୟତା ଥିଲେ ୩୦୦୦ ଟଙ୍କା
ଆଇସିୟୁ ଦିନକୁ ୨୦୦୦ ଟଙ୍କା, NABH ମାନ୍ୟତା ଥିଲେ ୫୦୦୦ ଟଙ୍କା
ଆଇସିୟୁ ସହ ଭେଣ୍ଟିଲେଟର ୨୦୦୦ ଟଙ୍କା, NABH ମାନ୍ୟତା ଥିଲେ ୩୦୦୦ ଟଙ୍କା
Comments are closed.