Latest Odisha News

ଭାଙ୍ଗିଲା ସବୁ ବେସରକାରୀ ଡିଗ୍ରୀ କଲେଜର ଗଭର୍ଣ୍ଣିଂ ବଡି

ଭୁବନେଶ୍ୱର: ରାଜ୍ୟର ସମସ୍ତ ବେସରକାରୀ ଡିଗ୍ରୀ କଲେଜର ଗଭର୍ଣ୍ଣିଂ ବଡି ବା ପରିଚାଳନା କମିଟିକୁ ଶୁକ୍ରବାର ଭାଙ୍ଗିଛନ୍ତି ରାଜ୍ୟ ସରକାର । ଏନେଇ ବିଜ୍ଞପ୍ତି ଜାରି କରିବା ସହ ତତ୍‌କ୍ଷଣାତ ଏହାକୁ ଲାଗୁ କରିବାକୁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଅନୁଦାନପ୍ରାପ୍ତ ବେସରକାରୀ ଡିଗ୍ରୀ କଲେଜ ପାଇଁ ଏହି ନିୟମ ଲାଗୁ ହୋଇଛି ।

ଏବେ ଏଡିଏମ୍ ଜିଲ୍ଲା ମୁଖ୍ୟାଳୟରେ ଥିବା କଲେଜର ପରିଚାଳନା କମିଟି ଅଧ୍ୟକ୍ଷ ଭାବେ କାମ କରିବେ । ସେହିପରି ଜିଲ୍ଲା ସଦର ମହକୁମା ବାହାରେ ଥିବା କଲେଜ ଗୁଡିକରେ ଉପ-ଜିଲ୍ଲାପାଳ ପରିଚାଳନା କମିଟିର ଅଧ୍ୟକ୍ଷ ରହିବେ । ତେବେ ସ୍ୱଂୟଶାସିତ କଲେଜ ଗୁଡିକ ପାଇଁ ଏହି ନିୟମ ଲାଗୁ ହେବନି । ସେହିପରି ସଂଖ୍ୟାଲଘୁ କଲେଜ ଗୁଡିକୁ ମଧ୍ୟ ଏହି ନିୟମରୁ ବାଦ ଦିଆଯାଇଛି ।

ଗୁରୁବାର କଲେଜ ପରିଚାଳନା ପରିଷଦରେ କୌଣସି ନେତା କିମ୍ବା ସ୍ଥାନୀୟ ବିଧାୟକ ରହିବେ ନାହିଁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସ୍ପଷ୍ଟ କରିଥିଲେ । କଲେଜ ପରିଚାଳନା ପରିଷଦରେ କୌଣସି ନିର୍ବାଚିତ ନେତାଙ୍କ ବଦଳରେ ଶିକ୍ଷାବିତ, ଅଭିଭାବକ ଓ ପୂର୍ବତନ ଛାତ୍ରଙ୍କୁ ପରିଚାଳନା କମିଟିର ସଦସ୍ୟ ଭାବେ ସ୍ଥାନ ଦିଆଯିବ ବୋଲି କହିଥିଲେ ମନ୍ତ୍ରୀ । ତେବେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଆଜି ବିଜ୍ଞପ୍ତି ଜାରି ହେବା ପରେ ସମସ୍ତ ଚର୍ଚ୍ଚା ଉପରେ ବିରାମ ଲାଗିିଛି ।

Comments are closed.