Latest Odisha News

ବଢିଲା ବିରୋଧ…ସରକାରଙ୍କ ୟୁଟର୍ଣ୍ଣ

ଭୁବନେଶ୍ବର: ପ୍ରବଳ ବିରୋଧ ଆଗରେ ମୁଣ୍ଡ ନୁଆଁଇଲେ ବିଜେପି ସରକାର । ପୁରୀ ବେଳାଭୂମିରେ ବିଚ୍ ସାକ୍ସ ବା ମଦ କୁଟୀର ଖୋଲିବ ନାହିଁ। ଅବକାରୀ ନୀତିରେ ରାଜ୍ୟ ସରକାର ପରିବର୍ତ୍ତନ ଆଣିଛନ୍ତି । ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦେଖି ନୀତିରେ ପରିବର୍ତ୍ତନ ଅଣାଯାଇଥିବା କୁହାଯାଇଛି । ବିଜେପି ସରକାରଙ୍କ ନୂଆ ଅବକାରୀ ନୀତିରେ ଗୋଆ ଓ ଥାଇଲ୍ୟାଣ୍ଡ ଢାଞ୍ଚାରେ ପର୍ଯ୍ୟଟନର ବିକାଶ ପାଇଁ ଓଡିଶା ସମୁଦ୍ର ବେଳାଭୂମିରେ ମଦ କୁଟୀର ଖୋଲିବାକୁ ସରକାର ଅନୁମତି ଦେଇଥିଲେ । ତେବେ ଏହାକୁ ପୁରୀରେ ପ୍ରବଳ ବିରୋଧ ହୋଇଥିଲା । ଜଗଦଗୁରୁ ଶଙ୍ଖରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମଧ୍ୟ ଏହାକୁ ସମାଲୋଚନା କରିଥିଲେ । ଜୋରଦାର ବିରୋଧ ପରେ ଶେଷରେ ନିଷ୍ପତ୍ତି ବଦଳାଇଛନ୍ତି ସରକାର ।

ପୁରୀ ବିଚରେ ଖୋଲିବନି ମଦ କୁଟୀର

ପୁରୀ ବେଳାଭୂମିରେ ମଦ କୁଟୀର ଖୋଲିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର । ପୁରୀ ବେଳାଭୂମି ସହ ପୁରୀ ପୌରାଞ୍ଚଳରେ ମଦ କ୍ୟାବିନ ଖୋଲାଯିବନି । ବେଳାଭୂମିରେ ମଦ କୁଟୀର ଚଳାଇବା ପାଇଁ ଲାଇସେନ୍ସ ଦିଆଯିବନି। ଏହା ସହ  ଧାର୍ମିକ ଅନୁଷ୍ଠାନର ୫କିଲୋମିଟର ପରିଧି ମଧ୍ୟରେ ମଦ ଦୋକାନ ଖୋଲାଯିବନି । ସାମାଜିକ, ଧାର୍ମିକ ଓ ସାଂସ୍କୃତିକ ଦିଗକୁ ଦେଖି ଅବକାରୀ ନୀତିରେ ପରିବର୍ତ୍ତନ ହୋଇଛି । ଏନେଇ ଅବକାରୀ ବିଭାଗ ପକ୍ଷରୁ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି।

ଶଙ୍କରାଚାର୍ଯ୍ୟ କରିଥିଲେ ବିରୋଧ

ପୁରୀ ବେଳାଭୂମିରେ ବିଚ ସାକ୍ସ ବା ମଦ କୁଟୀର ଖୋଲିବା ନିଷ୍ପତ୍ତିକୁ ବିରୋଧ କରିଥିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ପୁରୀ ବେଳାଭୂମିରେ ମଦ ବିକ୍ରି ଆଦୌ ଗ୍ରହଣୀୟ ନୁହେଁ । ପଞ୍ଚତୀର୍ଥ ମଧ୍ୟରେ ଅନ୍ୟତମ ମହୋଦଧି ଏକ ପବିତ୍ର ସ୍ଥାନ। ସେଠାରେ ମହାପ୍ରଭୁଙ୍କର ବିଭିନ୍ନ ନୀତିକାନ୍ତି ହେଉଥିବା ବେଳେ ପ୍ରତିଦିନ ମହୋଦଧି ଆଳତି ବି କରାଯାଏ। ହଜାର ହଜାର ଶ୍ରଦ୍ଧାଳୁ ମହୋଦଧିରେ ସ୍ନାନ କରନ୍ତି । ତେଣୁ ପୁରୀ ବେଳାଭୂମିର ଆଧ୍ୟାତ୍ମିକ ବାତାବରଣ ନଷ୍ଟ ନକରିବାକୁ ଶଙ୍କରାଚାର୍ଯ୍ୟ କହିଥିଲେ । ତାଙ୍କ ସହ ପୁରୀର ବିଭିନ୍ନ ସଂଗଠନ ମଧ୍ୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ । ମହୋଦଧୀ ତଟରେ ମଦର ବନ୍ୟାକୁ ପ୍ରବଳ ବିରୋଧ ପରେ ରାଜ୍ୟ ସରକାର ନିଷ୍ପତ୍ତି ପ୍ରତ୍ୟାହାର କରିଛନ୍ତି ।

ପର୍ଯ୍ୟଟନ ବିକାଶ ପାଇଁ ବିଚ୍ ସାକ୍ସ
ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତିରେ ପର୍ଯ୍ୟଟନର ବିକାଶ ପାଇଁ ସମୁଦ୍ର ବେଳାଭୂମି ସହ ନଦୀ, ହ୍ରଦ ଓ ଡ୍ୟାମ କୂଳରେ ମଦ କୁଟୀର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ରାଜସ୍ବ ବୃଦ୍ଧି ପାଇଁ ଗୋଆ ଭଳି ପୁରୀ, କୋଣାର୍କ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପର୍ଯ୍ୟଟକଙ୍କ ପାଇଁ ମଦ କୁଟୀର କରିବାକୁ ଅନୁମତି ଦିଆଯାଇଥିଲା । ଇକୋ ରିଟ୍ରିଟ୍ ସମୟରେ ସମୁଦ୍ର ବେଳାଭୂମିରେ ମଦ ବିକ୍ରି ପାଇଁ ଓଟିଡିସିକୁ ଅସ୍ଥାୟୀ ଲାଇସେନ୍ସ ଦେବାକୁ କୁହାଯାଇଥିଲା। ତେବେ ପୁରୀ ଗୋଆ ନୁହେଁ । ପୁରୀରେ ବେଳାଭୂମି ପର୍ଯ୍ୟଟନ ଅପେକ୍ଷା ଆଧ୍ୟାତ୍ମିକ ପର୍ଯ୍ୟଟନକୁ ଫୋକସ୍ କରିବାକୁ ଦାବି ହୋଇଛି ।

ପୂର୍ବ ସରକାର ବି ନେଇଥିଲେ ୟୁଟର୍ଣ୍ଣ

ବିଚ୍ ସାକ୍ସ ବିବାଦ ଓଡିଶାରେ ନୂଆ ନୁହେଁ । ୨୦୨୧ ମସିହାରେ ପୂର୍ବ ବିଜେଡି ସରକାର ପୁରୀ ବେଳାଭୂମି ସମେତ ରାଜ୍ୟର ୬ଟି ସ୍ଥାନରେ ମଦ କୁଟୀର କରିବାକୁ ନିଷ୍ପତ୍ତି ନେଇଥିଲେ । ରାଜ୍ୟ ବାହାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ମଦ କୁଟୀରକୁ ଅନୁମତି ଦେଇଥିଲେ ବିଜେଡି ସରକାର । ପୁରୀ ସମେତ ରାଜ୍ୟର ୬ଟି ବେଳାଭୂମିରେ ୨୦ଟି ବିଚ୍ ସାକ୍ସ ଖୋଲିବାକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଓଟିଡିସି ମାଧ୍ୟମରେ ଟେଣ୍ଡର ଡକାଯାଇଥିଲା । ତେବେ ତତ୍କାଳୀନ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ ହେବା ପରେ ଏହାକୁ ପ୍ରତ୍ୟାହାର କରାଯାଇଥିଲା । ପ୍ରତି ଓଡିଆଙ୍କ ଆସ୍ଥାର କ୍ଷେତ୍ର ଶ୍ରୀକ୍ଷେତ୍ର । ପୁରୀ ବେଳାଭୂମି ବି ଆଧ୍ୟାତ୍ମିକ ପରିବେଶ ପାଇଁ ଜଣାଶୁଣା । ତେଣୁ ପୁରୀରେ ମଦ କୁଡିଆ କରିବା ନିଷ୍ପତ୍ତିକୁ ପ୍ରବଳ ବିରୋଧ ପରେ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର ।

Comments are closed.