Latest Odisha News

BREAKING NEWS

ତାଳଚେର ଓ ଫୁଲବାଣୀ ମେଡ଼ିକାଲ କଲେଜ ଖୁବଶୀଘ୍ର କାର୍ଯ୍ଯକ୍ଷମ ହେବ 

ଭୁବନେଶ୍ବର: ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଏବଂ ଫୁଲବାଣୀ ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ଖୁବଶୀଘ୍ର କାର୍ଯ୍ଯକ୍ଷମ କରିବା ଉପରେ ରାଜ୍ଯ ସରକାର ପ୍ରାଥମିକତା ଦେଉଛନ୍ତି। ଏହି ଦୁଇ ମେଡ଼ିକାଲ କାର୍ଯ୍ଯକ୍ଷମ ହେଲେ ରାଜ୍ଯର ଚିକିତ୍ସାସେବାରେ ଆଶାତୀତ ଉନ୍ନତି ହେବା ସହ ରାଜ୍ଯବାସୀ ବିଶେଷ ଭାବେ ଉପକୃତ ହେବେ।

ସ୍ବାସ୍ଥ୍ୟ ଓ ପରିବାର କଲ୍ଯାଣ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ବତୀ ଏସ୍ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଅନୁଷ୍ଠାନର କୋଠାବାଡ଼ିରୁ ଆରମ୍ଭ କରି ଯନ୍ତ୍ରପାତି ଯାଏଁ ସବୁ ଆବଶ୍ଯକୀୟ ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ।

ଅନୁଗୁଳ ଓ କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳ ଏବଂ ଅନୁଷ୍ଠାନ ସହ ସଂପୃକ୍ତ ବରିଷ୍ଠ ବିଭାଗୀୟ ଅଧିକାରୀମାନଙ୍କୁ ସାପ୍ତାହିକ ବୈଠକ ଆହ୍ବାନ କରି ସମସ୍ଯାଗୁଡ଼ିକୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଦୁଇଟି ମେଡ଼ିକାଲ କଲେଜକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରି ରାଜ୍ଯର ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ଉନ୍ନତି ଏବଂ ଜନସାଧାରଣଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇଦେବା ପାଇଁ ସରକାର ସଂକଳ୍ପବଦ୍ଧ।

ଓଏସଏମସିଏଲର ପରିଚାଳନା ନିର୍ଦ୍ଦେଶକ ଡା. ପୋମା ଟୁଡ଼ୁ, ଅନୁଗୁଳ ଜିଲ୍ଲାପାଳ ଅବଦଲ ଏମ୍. ଅଖତର, କନ୍ଧମାଳ ଜିଲ୍ଲାପାଳ ଅମୃତ ଋତୁରାଜ, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର, ଡାକ୍ତରୀ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ ଡା. ସନ୍ତୋଷ ମିଶ୍ର, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଡ. ଉଷାରାଣୀ ସାହୁ, ପବିତ୍ର ମୋହନ ପ୍ରଧାନ ମେଡ଼ିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ଡା. କୀର୍ତ୍ତିରେଖା ମହାପାତ୍ର, ଫୁଲବାଣୀ ସରକାରୀ ମେଡ଼ିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ଡା. ଦେବ ପ୍ରସାଦ ମହାନ୍ତି, ଉଭୟ ଜିଲ୍ଲାର ସିଡିଏମ୍ଓ ଏବଂ ଅଧୀକ୍ଷଣ ଯନ୍ତ୍ରୀ ଏହି ବୈଠକରେ ଆଭାସି ମାଧ୍ୟମରେ ଯୋଗଦେଇଥିଲେ।

 

Comments are closed.