Latest Odisha News

BREAKING NEWS

ମାଡ଼ି ଆସୁଛି ପ୍ରଳୟଙ୍କରୀ ବନ୍ୟା, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ‘ଏସଆରସି’ଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ତେବେ ମହାନଦୀର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାରୁ ମହାନଦୀରେ ନିଶ୍ଚିତ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ମହାନଦୀରେ ବଡ଼ ବନ୍ୟା ଆସୁଥିବା ଏବଂ ଏନେଇ ସତର୍କ ରହିବାକୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ।

ମହାନଦୀରେ ଆସୁଛି ପ୍ରଳୟଙ୍କରୀ ବନ୍ୟା । ଲଗାଣ ପ୍ରବଳ ବର୍ଷା ଜାରି ରହିଥିବାରୁ ହୀରାକୁଦ ଡ୍ୟାମର ଜଳସ୍ତର କ୍ରମେ ବୃଦ୍ଧି ପାଇବାର ଲକ୍ଷ୍ୟ କରାଯାଇଛି । ତେଣୁ ଆଜି ସନ୍ଧ୍ୟା ୫/୬ଟା ସୁଦ୍ଧା ୨୫ଟି ଗେଟ୍ ଖୋଲିବାକୁ ଏସଆରସି ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ରାଜ୍ୟ ସରକାରଙ୍କ ଏସଆରସି ବିଷ୍ଣୁପଦ ସେଠୀ ମହାନଦୀ ଅବବାହିକାରେ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ କଡ୍ଡା ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଏପରିକି ହିରାକୁଦ ଜଳଭଣ୍ଡାର ବୃଦ୍ଧି ତଥା ଆସନ୍ନ ବନ୍ୟା ପରିସ୍ଥିତିର ମୁକାବିଲା କରିବାକୁ ସମ୍ବଲପୁର ଓ ମହାନଦୀ ଆଖପାଖରେ ରହିଥିବା ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତରିତ କରିବାକୁ ସମ୍ବଲପୁର ଜିଲ୍ଲାପାଳଙ୍କ୍ୁ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡୁଳି ଆନିକଟ ଦେଇ ୬ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେବାର ସମ୍ଭାବନା ରହିଛି । ତେବେ ୩୦ ତାରିଖ ସକାଳ ସୁଦ୍ଧା ୮ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି ।

ସେହିପରି ଭଦ୍ରକର ସାଳନ୍ଦୀ ନଦୀରେ ବନ୍ୟା ସମ୍ଭାବନା ରହିଥିବାରୁ ଜିଲ୍ଲା ପ୍ରଶାସନକୁ ପରିସ୍ଥିତି ପ୍ରତି ନଜର ରଖି ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାଳନ୍ଦୀରେ ବନ୍ୟା ଯୋଗୁଁ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ ଏବଂ ଭଦ୍ରକ ମ୍ୟୁନିସିପାଲିଟି ଅଞ୍ଚଳରେ ରହିଥିବା ଅନେକ ଚାଷଜମି ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସତର୍କ ସୂଚନା ମିଳିଛି ।

Leave A Reply

Your email address will not be published.