Latest Odisha News

BREAKING NEWS

ସହରାଞ୍ଚଳ ବନ୍ୟା ପରିଚାଳନା ନିମନ୍ତେ ୨୦୦ କୋଟି ଟଙ୍କାର ପ୍ରସ୍ତାବ ହେବ; ସହାୟତା କରିବ ଆଇଆଇଟି ଦିଲ୍ଲୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ-୨୦୨୪ରେ ଅଧ୍ୟକ୍ଷତା କରି ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।
ମୁଖ୍ୟମନ୍ତ୍ରୀ ରାଜ୍ୟରେ ଥିବା ଦୁର୍ବଳ ଥିବା ନଦୀବନ୍ଧ ଏବଂ ଅତୀତରେ ସୃଷ୍ଟି ହୋଇଥିବା ଘାଇକୁ ତୁରନ୍ତ ମରାମତି ପାଇଁ ଜଳସେଚନ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ସହରାଞ୍ଚଳରେ ବନ୍ୟା ସୃଷ୍ଟି ହୋଇଥିବାରୁ ନଗର ଉନ୍ନୟନ ବିଭାଗ ପୌରାଞ୍ଚଳରେ ଥିବା ଡ୍ରେନ୍ ଗୁଡିକର ପଙ୍କ ଉଦ୍ଧାର କାର୍ଯ୍ୟ ଏବଂ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ଭୁବନେଶ୍ୱର ମହାନଗର ନିଗମ ସହରାଞ୍ଚଳ ବନ୍ୟା ପରିଚାଳନା ନିମନ୍ତେ ୨୦୦ କୋଟି ଟଙ୍କାର ଏକ ପ୍ରସ୍ତାବ ପ୍ରସ୍ତୁତ କରି ଯଥାଶୀଘ୍ର ପ୍ରଦାନ କରିବେ । ଏହାସହିତ କଟକ, ଭୁବନେଶ୍ୱର ଓ ଅନ୍ୟ ସହରାଞ୍ଚଳରେ ବନ୍ୟା ପରିଚାଳନା ନିମନ୍ତେ IIT ଦିଲ୍ଲୀର ବୈଷୟିକ ସହାୟତାରେ ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।
ରାଜ୍ୟ, ଜିଲ୍ଲା ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟରେ ୨୪ ଘଣ୍ଟା କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ । ସାଧାରଣତଃ ବର୍ଷା ଦିନେ ସାପକାମୁଡାର ଅଧିକ ସମ୍ଭାବନା ରହିଥିବା ହେତୁ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡା ଇଞ୍ଜେକ୍ସନ (ଆଣ୍ଟି ସ୍ନେକ୍ ଭେନମ୍) ଗଚ୍ଛିତ ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ‘ସତର୍କ’ ମୋବାଇଲ୍ ଆପ୍ ମାଧ୍ୟମରେ ଜନସାଧାରଣଙ୍କୁ ବିଭିନ୍ନ ବିପର୍ଯ୍ୟୟ ବିଷୟରେ ଆଗୁଆ ସୂଚନା ଦିଆଯାଇପାରିବ, ସେନେଇ ପଦକ୍ଷେପ ନିଆଯିବ।
ସମଗ୍ର ଦେଶରେ ଓଡ୍ରାଫ୍ ହେଉଛି ପ୍ରଥମ ରାଜ୍ୟସ୍ତରୀୟ Disaster Response Force ଏବଂ ଏହା ସର୍ବ ଭାରତୀୟ ସ୍ତରରେ ମଧ୍ୟ ଶ୍ରେଷ୍ଠ ।  ବର୍ତ୍ତମାନ ଏହା ୨୦ ଟି ୟୁନିଟ୍ ଥିବାବେଳେ ଏହାକୁ ୩୦ ଟି ୟୁନିଟ୍ କରିବା ସହ ଏକ Dedicated force କରିବା ନିମନ୍ତେ ଗୃହ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ। ସେହିପରି ବିପର୍ଯ୍ୟୟ ସହାୟତା ପାଣ୍ଠି (SDRF)ରୁ  ୩୯୪ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଅଗ୍ନିଶମ ବିଭାଗର ଦକ୍ଷତା ବୃଦ୍ଧି କରାଯାଉଛି । ଏଥିପାଇଁ ଆଉ ୨୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯିବ। ବାହାନଗାର ଟ୍ରେନ୍ ଦୁର୍ଘଟଣା ଭଳି ବିଭିନ୍ନ ଆକସ୍ମିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ୫ ଟି Regional Fire Service Hub ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ବ୍ୟବସ୍ଥା କରାଯିବ।
ଏହାସହିତ ଏ ବର୍ଷ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର ସମସ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରିବେ ଏବଂ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି କିପରି ହ୍ରାସ କରାଯିବ ସେଥିପ୍ରତି ସମସ୍ତ ବିଭାଗ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ।
ବୈଠକର ପ୍ରାରମ୍ଭରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ଆମ ରାଜ୍ୟ ଓଡିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଅଟେ ।  ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ରାଜ୍ୟରେ ବନ୍ୟା ଓ ବାତ୍ୟାର ଆଶଙ୍କା ଅଧିକ ରହିଥିଲେ ମଧ୍ୟ ବଜ୍ରପାତ, ଅଂଶୁଘାତ, ଘୁର୍ଣ୍ଣିଝଡ, ପାଣିରେ ବୁଡି ମୃତ୍ୟୁ, ଅଗ୍ନିକାଣ୍ଡ ଆଦି ଅନ୍ୟାନ୍ୟ ବିପର୍ଯ୍ୟୟମାନ ବର୍ଷ ତମାମ ଲାଗିରହିଥାଏ।
Leave A Reply

Your email address will not be published.