Latest Odisha News

E-Hundi System For Puri:ଶ୍ରୀମନ୍ଦିରରେ ଇ-ହୁଣ୍ଡି ବ୍ୟବସ୍ଥା ହେବ କାର୍ଯ୍ୟକାରୀ; ଶ୍ରଦ୍ଧାଳୁ ସହଜରେ କରିପାରିବେ ଦାନ

ଭୁବନେଶ୍ବର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଇ-ହୁଣ୍ଡି ବ୍ୟବସ୍ଥା କାର୍ଯ୍ୟକାରୀ ନିମନ୍ତେ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଇ-ହୁଣ୍ଡି ବ୍ୟବସ୍ଥାର ସଫଳ କାର୍ଯ୍ୟକାରୀ ନିମନ୍ତେ ଆଲୋଚନା ହୋଇଥିଲା ।

ଶ୍ରଦ୍ଧାଳୁ ନିଜ ଜନ୍ମଦିନ, ବିବାହ ବାର୍ଷିକୀ ତଥା ନିଜର ମନସ୍କାମନା ପୂରଣ ଖୁସିରେ କିଭଳି ଭାବେ ଅନଲାଇନ ମାଧ୍ୟମରେ ଶ୍ରୀମନ୍ଦିର ହୁଣ୍ଡିରେ ଅର୍ଥରାଶି ଦାନ କରିପାରିବେ ସେଥିନେଇ ଆଲୋଚନା ହୋଇଥିଲା । ଦାନ ଅର୍ଥରାଶି ପାଇଁ ଆୟକର ଛାଡ଼ ବ୍ୟବସ୍ଥା ରହିବାକୁ ଥିବା ବେଳେ ଭକ୍ତଙ୍କ ଠାରୁ ଦାନ ସୂତ୍ରରେ ଆସିବାକୁ ଥିବା ଅର୍ଥ କେବଳ ଶ୍ରୀମନ୍ଦିର ବିକାଶ ଦିଗରେ ଖର୍ଚ୍ଚ ହେବ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ଲକ୍ଷ ଲକ୍ଷ ଜଗନ୍ନାଥ ଭକ୍ତ ଶ୍ରୀମନ୍ଦିର ହୁଣ୍ଡିକୁ ସହଜରେ ଅର୍ଥରାଶି ପଠାଇ ପାରିବେ । ତେବେ ଏହି ବ୍ୟବସ୍ଥାରୁ ସାଇବର ଅପରାଧୀ ଯେପରି ଫାଇଦା ଉଠାଇ ନ ପାରିବେ ସେଥିଲାଗି ଉଚିତ୍ ପଦକ୍ଷେପ ନେବାକୁ ମନ୍ତ୍ରୀ ହରିଚନ୍ଦନ ପରାମର୍ଶ ଦେଇଥିଲେ ।

ସୂଚନାଥାଉକି, ରାଜ୍ୟ ବାହାରେ ତଥା ବିଦେଶରେ ରହୁଥିବା ଶ୍ରଦ୍ଧାଳୁଙ୍କ ଲାଗି ଅନଲାଇନ ମାଧ୍ୟମରେ ହୁଣ୍ଡିରେ ଦାନ ଦେବା ବ୍ୟବସ୍ଥା ପାଇଁ ଅନେକ ଭକ୍ତ ଇଚ୍ଛା କରି ଆସୁଥିଲେ ।

ଆହୁରି ମଧ୍ୟ ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମିରେ ବର୍ଷ ବର୍ଷ ଧରି ବସତି ସ୍ଥାପନ କରି ଆସୁଥିବା ସେବକ, ନିଯୋଗ ଏପରିକି ମଠ ଗୁଡିକୁ ଭୁସମ୍ପତ୍ତିଗତ ଅଧିକାର ଦେବା ପାଇଁ ତୃତୀୟ ପର୍ଯ୍ୟାୟ ସମୀକ୍ଷା ବୈଠକ ଲୋକସେବା ଭବନ ସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.