Latest Odisha News

+୨ ପରୀକ୍ଷା କେନ୍ଦ୍ରରେ କଡ଼ା ସୁରକ୍ଷା ଲାଗି ନିର୍ଦ୍ଦେଶ ଦେଲେ ଓଡିଶା ସରକାର

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୩ ତାରିଖରେ ଆରମ୍ଭ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷା ଲାଗି ପରିଚାଳନା କେନ୍ଦ୍ର ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୧୧୪୩ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଓ ୨୦୨ ପରୀକ୍ଷା ପରିଚାଳନା ହବର ସୁପରଭାଇଜରଙ୍କୁ ସେମାନଙ୍କ ଜିଲ୍ଲାର ଜିଲ୍ଲାପାଳ, ଏସପି ଓ ସ୍ଥାନୀୟ ପୋଲିସଙ୍କ ସହ ବିଚାର ବିମର୍ଶ କରିବା ପାଇଁ କହିଛନ୍ତି । ଯାହାଫଳରେ ସମସ୍ତ କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବା ବେଳେ ସଶସ୍ତ୍ର ପୋଲିସ ବାହିନୀଙ୍କୁ ମୁତୟନ ହୋଇପାରିବେ ।

କାଉନସିଲ୍ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ୍ (ସିଏଚଏସଇ) ପକ୍ଷରୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ନଲଗାଯିବା ଅଭିଯୋଗରେ ଜୁନିୟର୍ କଳେଜ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହାମଧ୍ୟରେ ଶୁକ୍ରବାର ବେଳକୁ ପରୀକ୍ଷା କେନ୍ଦ୍ରରେ ପାୱାର ବ୍ୟାକ୍‌-ଅପ୍ ସହ ସିସିଟିଭି ଲଗାଇବା ପାଇଁ କୁହାଯାଇଥିଲେ ମଧ୍ୟ ସେଥିରେ ଖିଲାପ ହୋଇଥିବା ଅଭିଯୋଗ ହୋଇଛି । ତେଣୁ ସେମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କାଉନସିଲ୍ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଅବଗତ କରାଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଏହାବ୍ୟତିତ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ପାଇଁ ସମସ୍ତ ସୁବିଧା ପ୍ରଦାନ କରିବା ଲାଗି କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କାଉନସିଲ । ଆହୁରି ମଧ୍ୟ ଆବଶ୍ୟକ ସ୍ଥଳେ ଏହି ଶାରୀରିକ ଅକ୍ଷମ ଛାତ୍ରଛାତ୍ରୀଙ୍କ ଲାଗି ଯୁକ୍ତ ଦୁଇ ପ୍ରଥମ ବର୍ଷର ପିଲାମାନେ ସେମାନଙ୍କ କହିବାନୁଯାୟୀ ଖାତାରେ ଉତ୍ତର ଲେଖିବେ ।

Leave A Reply

Your email address will not be published.