Latest Odisha News

ତିରୁପତିରେ ଝଡ଼…ଓଡିଶାରେ କମ୍ପନ

ଭୁବନେଶ୍ବର: ତିରୁପତି ପ୍ରସାଦ ବିବାଦ ପରେ ଓଡିଶାରେ କମ୍ପନ । ଶ୍ରୀମନ୍ଦିର ମହାପ୍ରସାଦର ହେବ ମାନ ପରୀକ୍ଷଣ । ରୋଷଶାଳାକୁ ଜିନିଷ ଯିବା ପୂର୍ବରୁ ଓ ରୋଷଶାଳାରୁ ଅବଢା ବାହାରିବା ପରେ ମାନ ପରୀକ୍ଷଣ କରାଯିବ । ଅବଢାର ଶୁଦ୍ଧତା ସୁନିଶ୍ଚିତ କରିବାକୁ ଏଭଳି ପଦକ୍ଷେପ ନିଆଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ତେବେ ଏହାକୁ ନାପସନ୍ଦ କରିଛନ୍ତି ଶ୍ରଦ୍ଧାଳୁ ଓ ବୁଦ୍ଧିଜୀବୀ । ମହାପ୍ରସାଦ ରୋଷେଇ ପୂର୍ବରୁ ସାମଗ୍ରୀର ଯାଞ୍ଚ କରିବାକୁ ସେମାନେ କହିଛନ୍ତି । ତିରୁପତି ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବିଯୁକ୍ତ ଘିଅର ବ୍ୟବହାର ନେଇ ରିପୋର୍ଟ ଆସିବା ପରେ ଶ୍ରୀମନ୍ଦିରରେ ବ୍ୟବହୃତ ଘିଅକୁ ନେଇ ପ୍ରଶ୍ନ ଉଠିଥିଲା ।

ଅବଢାର ହେବ ମାନ ଯାଞ୍ଚ

ତିରୁପତି ପ୍ରସାଦରେ ଅପମିଶ୍ରଣ ଘଟଣା ସାମନାକୁ ଆସିବା ପରେ ତତ୍ପର ହୋଇଛନ୍ତି ଓଡିଶା ସରକାର। ଶ୍ରୀମନ୍ଦିର ଅବଢାର ମାନ ପରୀକ୍ଷଣ କରାଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ରୋଷଘରକୁ ପ୍ରବେଶ ଅନୁମତି ନଥାଏ । ତେଣୁ ରୋଷଘରକୁ ଯାଉଥିବା ସାମଗ୍ରୀ ଓ ସେଠାରୁ ବାହାରୁଥିବା ମହାପ୍ରସାଦର ମାନ ଯାଞ୍ଚ କରାଯିବ। ଏଥିପାଇଁ ଫୁଡ୍ ଇନସପେକ୍ଟରଙ୍କୁ ନିୟୋଜିତ କରାଯିବା ନେଇ ସ୍ବାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଛି । ଦେଶର ଅନ୍ୟ ମନ୍ଦିର ଭଳି ଯେପରି ଶ୍ରୀମନ୍ଦିରରୁ ଶୁଦ୍ଧତା ନେଇ ଅଭିଯୋଗ ନଆସେ, ସେଥିପାଇଁ ମାନ ଯାଞ୍ଚ ନେଇ ଆଗୁଆ ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏଭଳି କରିବା ଦ୍ବାରା ଅବଢାରେ ଅଶୁଦ୍ଧତା ରହିବନି ଓ ଶ୍ରଦ୍ଧାଳୁ ବି ଆଶ୍ବସ୍ତ ରହିବେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

ମାନ ପରୀକ୍ଷଣକୁ ନାପସନ୍ଦ

ଶ୍ରୀମନ୍ଦିର ଅବଢାର ମାନ ପରୀକ୍ଷଣକୁ ନାପସନ୍ଦ କରିଛନ୍ତି ଶ୍ରଦ୍ଧାଳୁ। ମହାପ୍ରସାଦର ମାନ ପରୀକ୍ଷଣ ପାଇଁ ଶ୍ରୀମନ୍ଦିରରେ ଜଣେ ଅମିନ ରହିଛନ୍ତି । ମହାପ୍ରସାଦ ରୋଷେଇ ହେବା ପରେ ପ୍ରତି ଥର ରୋଷଶାଳାକୁ ସୋଧ କରାଯାଏ। ତେଣୁ ମହାପ୍ରସାଦର ମାନ ପରୀକ୍ଷା ନକରିବାକୁ କହିଛନ୍ତି ଶ୍ରଦ୍ଧାଳୁ । ସେପଟେ ଶ୍ରୀମନ୍ଦିରର ୪ଦ୍ବାର ଦେଇ ମହାପ୍ରସାଦ ପାଇଁ ସାମଗ୍ରୀ ଯାଉଥିବାରୁ ପ୍ରତି ଦ୍ବାରରେ ସାମଗ୍ରୀର ମାନ ଯାଞ୍ଚ କରିବାକୁ ମୁକ୍ତିମଣ୍ଡପ ପଣ୍ଡିତ ପରାମର୍ଶ ଦେଇଛନ୍ତି । ରୋଷେଇ ହେବା ପୂର୍ବରୁ ସେଥିରେ ଲାଗୁଥିବା ସାମଗ୍ରୀର ମାନ ଯାଞ୍ଚ କରାଯାଉ, ହେଲେ ମହାପ୍ରସାଦର କରାନଯାଉ ବୋଲି ଶ୍ରଦ୍ଧାଳୁ କହିଛନ୍ତି ।

ଘିଅର ବି ହେବ ମାନ ପରୀକ୍ଷା

ତିରୁପତି ପ୍ରସାଦ ଲଡୁରେ ପଶୁ ଚର୍ବିଯୁକ୍ତ ଘିଅ ଥିବା ନେଇ ରିପୋର୍ଟ ଆସିବା ପରେ ପୁରୀ ଶ୍ରୀମନ୍ଦିରରେ ବ୍ୟବହୃତ ଘିଅକୁ ନେଇ ବି ପ୍ରଶ୍ନ ଉଠିଥିଲା । କୋଟି କୋଟି ଶ୍ରଦ୍ଧାଳୁଙ୍କ ଶ୍ରଦ୍ଧାର ପ୍ରତୀକ ମହାପ୍ରସାଦରେ ଶୁଦ୍ଧ ଘିଅର ବ୍ୟବହାର ହେଉଛି କି ନାହିଁ, ସେନେଇ ଯାଞ୍ଚ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। ଏହାପରେ ଶ୍ରୀମନ୍ଦିରରେ ମହାପ୍ରସାଦରେ ଓମଫେଡ୍ ଘିଅ ବ୍ୟବହାର କରାଯାଉଛି । କିଭଳି ସ୍ବତନ୍ତ୍ର ଭାବେ ଘିଅ ଶ୍ରୀମନ୍ଦିରକୁ ଆସିପାରିବ ସେନେଇ ଓମଫେଡ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ଆଇନ ମନ୍ତ୍ରୀ ଅବଢା ସହ ଘିଅର ବି ମାନ ଯାଞ୍ଚ କରାଯିବ ବୋଲି କହିଛନ୍ତି ।

ତିରୁପତି ଲଡୁ ବିବାଦ ଘନଉଥିବା ବେଳେ ଓଡିଶାରେ ସେଭଳି କୌଣସି ଅଭିଯୋଗ ଆସିବା ଆଗରୁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ତିରୁପତି ହେଉ କି ପୁରୀ ଆସ୍ଥାର ପ୍ରତୀକ ପ୍ରସାଦରେ ଅପମିଶ୍ରଣ ଭଳି ଘଟଣାକୁ ଏଡାଇବାକୁ ଆଗୁଆ ପଦକ୍ଷେପ ଜରୁରୀ।

Leave A Reply

Your email address will not be published.