Latest Odisha News

କାର୍ତ୍ତିକ ମାସ ଶେଷ ହେବା ପରେ ଗଣତିମଣତି ଆରମ୍ଭ ହେବ: ମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଥିବା ରତ୍ନ ଭଣ୍ଡାର ମୂଲ୍ୟବାନ ସାମଗ୍ରୀର ଗଣତିମଣତି ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିସାରିଥିବା ନେଇ ରବିବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ଏଥିରେ ରତ୍ନ ଭଣ୍ଡାର ଭିତରେ ତାଲିକା ପ୍ରକ୍ରିୟା ପରିଚାଳନା କରାଯିବ ଓ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଏକ ଏସଓପି ଖୁବଶୀଘ୍ର ଜାରି କରାଯିବ ବୋଲି ମଧ୍ୟ ସେ କହିଛନ୍ତି।

ତେବେ ବର୍ତ୍ତମାନ ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ବ୍ରତ ଚାଲିଥିବା ବେଳେ ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମୁଛି। ତେବେ ପଞ୍ଚୁକ ବ୍ରତ ସରିଲେ ସରକାର ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ ବୋଲି ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ଚଳିତ ବର୍ଷ ଜୁଲାଇରେ ରତ୍ନ ଭଣ୍ଡାରର ମରାମତି ଏବଂ ପୁନରୁଦ୍ଧାର କାର୍ଯ୍ୟ ସମାପ୍ତ କରିଥିଲା।

ତେବେ ଶ୍ରୀମନ୍ଦିରରେ ନବୀକରଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ମନ୍ଦିର ପ୍ରଶାସନ ପ୍ରଭୁଙ୍କ ରତ୍ନ ଭଣ୍ଡାରର ମୂଲ୍ୟବାନ ସାମଗ୍ରୀକୁ ମନ୍ଦିର ପରିସରରେ ଥିବା ଦୁଇଟି ପୃଥକ କୋଠରୀକୁ ସ୍ଥାନାନ୍ତର କରାଯାଇଥିଲା।ପ ରେ ସେପ୍ଟେମ୍ବର ୨୩ ତାରିଖରେ ଅଳଙ୍କାର ଗୁଡ଼ିକୁ ପୁନଃନିର୍ମିତ ରତ୍ନ ଭଣ୍ଡାରକୁ ଫେରାଇ ଅଣାଯାଇଥିଲା।

ତେବେ ଏସବୁର ତାଲିକା ପ୍ରସ୍ତୁତ ପାଇଁ ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏକ ୧୬ ଜଣିଆ କମିଟି ଗଠନ କରାଯାଇଥିଲା। ଯାହାପରେ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରତ୍ନ ଭଣ୍ଡାର ମୂଲ୍ୟବାନ ସାମଗ୍ରୀର ଗଣତିମଣତିରେ ସହାୟତା କରିବା ପାଇଁ ଦୁଇଜଣ ଅଧିକାରୀଙ୍କୁ ମନୋନୀତ କରିଥିଲା। ରତ୍ନ ଭଣ୍ଡାରର ଶେଷ ସରକାରୀ ଗଣତିମଣତି ୧୯୭୮ ମସିହାରେ କରାଯାଇଥିବା ନେଇ ରିପୋର୍ଟରୁ ଜଣାପଡ଼ିଛି।

Comments are closed.