ଭୁବନେଶ୍ୱର: ସମାଜରେ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ ର ଲୋକ ମାନଙ୍କୁ ସୁଲଭ ଗୃହ ସୁବିଧା ଯୋଗାଇ ଦେବା ପାଇଁ ଓଡ଼ିଶା ସରକାର ମାର୍ଚ୍ଚ ୩୦ରୁ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ଆରମ୍ଭ କରିବାକୁ ଯାଉଛନ୍ତି।
କଳାହାଣ୍ଡି ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାକୁ ଉଦଘାଟନ କରିବେ।
ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି ଯେ ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟ ସାରା ପ୍ରାୟ ୫୦,୦୦୦ ହିତାଧିକାରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଚିନ୍ତା କରିଛନ୍ତି।
ଏହି ଯୋଜନା ଅନୁଯାୟୀ ଭିନ୍ନକ୍ଷମ, ବିଧବା, ଗୁରୁତର ରୋଗରେ ପୀଡିତ ଓ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଅଗ୍ନିକାଣ୍ଡରେ ପ୍ରଭାବିତ ଲୋକମାନଙ୍କୁ ବାସଗୃହ ମିଳିିବ। ଏହା ଛଡା ସହିଦ ଏବଂ ପଦ୍ମ ପୁରସ୍କାରପ୍ରାପ୍ତଙ୍କ ପରିବାର ମାନଙ୍କୁ ମଧ୍ଯ ଏହି ଯୋଜନାରେ ସାମିଲ କରାଯିବ ବୋଲି ଜଣାପଡିଛି।
ଏହି ଯୋଜନାର ଆବେଦନ କରିବା ପାଇଁ ହେଲେ ଲୋକମାନଙ୍କୁ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ସହାୟତା ପ୍ରାପ୍ତ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ମାଧ୍ୟମରେ ଅନଲାଇନରେ ପଞ୍ଜୀକରଣ କରିବାକୁ ପଡିବ। ତେବେ ଆବେଦନକାରୀମାନେ ହେଲ୍ପଲାଇନ୍ ନମ୍ବର ୦୬୭୪୬୮୧୭୭୭୭ ରେ ମଧ୍ୟ ଯୋଗାଯୋଗ କରିପାରିବେ।
ଏହି ଯୋଜନା ପାଇଁ ୨୦୨୫-୨୬ ରାଜ୍ୟ ବଜେଟରେ ୨୬୦୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ତେବେ ଏସବୁ ମଧ୍ୟରେ ସୁଧ ସବଭେନସନ ପାଇଁ ମଧ୍ୟ ବ୍ୟବସ୍ଥା ରଖାଯାଇଛି।