Latest Odisha News

BREAKING NEWS

ଭୂସ୍ଖଳନ ମୁକାବିଲା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର: ନିକଟରେ ଗଜପତି ଜିଲ୍ଲାରେ ଘଟିଥିବା ଭୂସ୍ଖଳନ ପରେ ଜୀବନହାନି ରୋକିବା ପାଇଁ ଓଡ଼ିଶା ସରକାର ଏକ ବ୍ୟାପକ ଯୋଜନା ପ୍ରସ୍ତୁତ କରିଥିବା ନେଇ ଶନିବାର ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

ତେବେ ରାଜ୍ୟର ପାହାଡ଼ି ଅଞ୍ଚଳରେ ଭୂସ୍ଖଳନ ହେଉଥିବା ସମସ୍ତ ଅଞ୍ଚଳ ଚିହ୍ନଟ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ସେ କହିଛନ୍ତି।

ଅପରପକ୍ଷରେ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଜିଲ୍ଲା କଲେକ୍ଟରମାନଙ୍କୁ କ୍ଷୟକ୍ଷତିର ପରିମାଣ ଆକଳନ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାହା ଆଧାରରେ ଆସନ୍ତାକାଲି ସୁଦ୍ଧା ପ୍ରଭାବିତ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବ। ଏଥିସହିତ ସରକାର ଜଳବନ୍ଦୀ ପାଇଁ ବିପଦପୂର୍ଣ୍ଣ ନିମ୍ନ ରାସ୍ତାଗୁଡ଼ିକୁ ଚିହ୍ନଟ କରି ନିରବଚ୍ଛିନ୍ନ ସଂଯୋଗୀକରଣ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି। ତେବେ ମାଲକାନଗିରିର ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ଭାବରେ ଏହି ରାସ୍ତାଗୁଡ଼ିକୁ ଚିହ୍ନଟ କରି ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ନିକଟରେ ପ୍ରବଳ ବର୍ଷା ଯୋଗୁଁ ଗଜପତି, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ ପ୍ରବଳ କ୍ଷୟକ୍ଷତି ଘଟିଛି। ଯାହାଫଳରେ ରାୟଗଡ଼ାର ବାସିନ୍ଦାଙ୍କୁ ସ୍ଥାନାନ୍ତରିତ କରାଯାଇଥିଲ। ଏଥିସହିତ କଳାହାଣ୍ଡିର ନଅଟି ଗାଁ ଜଳବନ୍ଦୀ ହୋଇଯାଇଥିବା ବେଳେ ଏସବୁ ମଧ୍ୟରେ ସର୍ବାଧିକ ଗଜପତି ଜିଲ୍ଲାରେ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।

ତେବେ ବର୍ତ୍ତମାନ୍ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହିତ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଦୁଇ ଦିନ ଧରି ଘଟଣାସ୍ଥଳରେ ରହିଥିଲେ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି।

 

Comments are closed.